ମଳୟ ପରଶେ ବସନ୍ତ ଛିଟା
ମଳୟ ପରଶେ ବସନ୍ତ ଛିଟା
ଫଗୁଣ, ଚୈତ୍ରରେ ବସନ୍ତ ଋତୁରେ
ବହଇ ମନ୍ଦ ମଳୟ
ହସଇ ଧରଣୀ ଆନନ୍ଦ ଉଲ୍ଲାସେ
ଦିଶିବ ସେ ଶୋଭାମୟ।
ନିରସ ତରୁ ତା' ହେବ ସୁଶୋଭିତ
ଫୁଲ ଫଳ ଭରିଯିବ
ଆମ୍ର ବନରେ ଯେ ବଉଳର ବାସ
ଚିତ୍ତକୁ ଚୋରାଇ ନେବ।
କୁସୁମ ସମ୍ଭାରେ ପୂର୍ଣ୍ଣ ଉପବନ
ବାସ୍ନାରେ ବିଭୋର ହୋଇ
ଭୃଙ୍ଗରାଜ ଉଡି ମଧୁ ପିଉଥିବେ
ଫୁଲରୁ ଫୁଲକୁ ଡେଇଁ
ପିକ ପ୍ରତୀକ୍ଷାର ଅନ୍ତ ଘଟିଯିବ
ବସନ୍ତର ଆଗମନେ
ପ୍ରାଣପ୍ରିୟ ସଙ୍ଗେ ପ୍ରଣୟ ରଚିବ
ଗାଇବ ପଞ୍ଚମ ତାନେ।
ମନ କଥା ସବୁ ବନ୍ଧୁକୁ କହିବ
ପ୍ରେମ ମଦିରାକୁ ପେଇ
ପ୍ରୀତି ବୋଳା କଥା କହି ଆନନ୍ଦରେ
ମନ ପ୍ରାଣ ଦେବ ମୋହି।
ହୋଲିର ରଙ୍ଗରେ ରଙ୍ଗାୟିତ ହୋଇ
ପ୍ରଭୁ ଶ୍ରୀ ରାଧା ଗୋବିନ୍ଦ
ଦୋଳ ବିମାନରେ ବିଜେ କରିଥିବେ
ଝରୁଥିବ ମକରନ୍ଦ।
ନାମ ଗାନ କରି ଭଜନ କୀର୍ତ୍ତନେ
ହସି ଉଠୁଥିବ ମହୀ
ବରଷକେ ଥରେ ଆସନ୍ତି ମର୍ତ୍ତ୍ୟକୁ
ଭକ୍ତଙ୍କ ଉଦ୍ଧାର ପାଇଁ।
ମଳୟ ପରଶେ ବସନ୍ତ ବର୍ଣ୍ଣାଳୀ
ପ୍ରେମର ଆନନ୍ଦ ଭରି
ଫଗୁଣର ରଙ୍ଗ ପ୍ରୀତିର ତରଙ୍ଗେ
ନେଉ ଜନ ମନ ହରି।
