ମଇଳା କାଗଜ
ମଇଳା କାଗଜ


କାଗଜରେ କେତେ ମନ ଦିଆନିଆ
ଭାବୁକ ପ୍ରେମିକ କବି,
ନିଆରା ଢଂଗରେ ଭାଷାର କୁଂଜରେ
ବାଢନ୍ତି ମନର ଛବି ॥
କାଗଜରୁ ବହି କଳ୍ପନା କଣ୍ଢେଇ
ଲୁଚିଯାଏ ପୃଷ୍ଟାତଳେ,
ପାଠକ ମନରେ ଆଂକେ ପ୍ରୀତି ଠାରେ
ହୃଦ କନ୍ଦର ଶଇଳେ ॥
କାଗଜ ନୁହେଁ ସେ ଭାବର ଦର୍ପଣ
ପ୍ରୀତି କୋହ ଥାଏ ଲୁଚି,
ଲେଖନୀ ମୂନରେ ଆଘାତ ତୀରରେ
ସାଜିଥାଏ ସେ ଦଧିଚି ॥
ମନ ବେଦନାକୁ ବାଢିଥାଏ କେତେ
ମନଲାଖି ସୈାଦାଗରେ,
ସମାଜକୁ ଦିଏ ଆଲୋକର ମାର୍ଗ
ବିପଦର ବୈଶାଖିରେ ॥
ଭାଷାକୁ ପିନ୍ଧାଏ
ସାହିତ୍ୟ ଶିରିପା
ଜାତିକୁ ଦେଖାଏ ବାଟ,
ଅଜ୍ଞାନକୁ ଦିଏ ଜ୍ଞାନର ଆଲୋକ
ବୁଦ୍ଧି ବିଦ୍ୟା ଚଲା ବାଟ ॥
କାଗଜର ସେହି ପୁଣ୍ୟ ସମ୍ବିଧାନ
ଦେଶକୁ କରେ ଶାସନ,
କାଗଜ ପତ୍ରରେ କେତେ ପୂଣ୍ୟପୋଥି
ଆମ ଭାଷାର ନିଶାଣ ॥
ଜୀବନ୍ତ ଜାଗ୍ରତ ହେଲେ ବି ଅତୀତ
ଜ୍ଞାନର ଭଣ୍ତାର ସେହି,
ସେ ଜ୍ଞାନ ମନ୍ତ୍ରରେ ଦେଶ ବଳୀୟାନ
ବାଣ୍ଟଇ ଭାଷା ମଣୋହି ॥
କାଗଜର ଯତ୍ନ ବହୁମୂଲ୍ୟ ରତ୍ନ
ସଭିଂକର ହେଉ ଧ୍ୟେୟ,
ପାଂଜି ପୋଥି ବେଦ ସଭିଂକ ସମ୍ପଦ
ହେଉ ଆମରି ପାଥେୟ ॥