ସଂଘର୍ଷର ରକ୍ତତୀର୍ଥ
ସଂଘର୍ଷର ରକ୍ତତୀର୍ଥ


ଶୋଷଣ ହୋଲିରେ ମାନବ ଭିଜଇ
ଦଦରା ନାବରେ ବସି,
ମଗର ଶାଙ୍କୁଚ ସାଜିଣ ପିଶାଚ
ଜଗିଛନ୍ତି ଦିବାନିଶି ॥
ଅର୍ଥ ମେରୁଦଣ୍ତ ଭଙ୍ଗା ଦଧି ଭାଣ୍ତ
ବିବେକ ଖାଉଛି ଚାଟି,
ଭଦ୍ର ମୁଖା ତଳେ ସ୍ୱାର୍ଥ ଦୀପ ଜଳେ
ସାନ୍ତ୍ୱନାକୁ ଦେଇ ଭେଟି ॥
କପଟ ପଶାରେ ମାପ ତଉଲରେ
ହୁଏ ଖାଲି କିଣାବିକା,
ଶାଗୁଣା ମୁହଁର ଶାକାହାରୀ ସ୍ୱର
ଉଡେ ବିଜୟ ପତାକା ॥
ମଦ ମାଂସ ନାରୀ ଆଭିଜାତ୍ୟ ଶିରୀ
କଂସାରୀ ଘରର ପାରା,
ଘର ଅଛି ଚାଳ ଗଲାଣି ବଉଳ
 
;ସଭ୍ୟତା ସଫା ସୁତୁରା ॥
ଚକ୍ରବ୍ୟୁହ ଜୁଇ ରକ୍ତ ମାଂସ ଖାଇ
ପଲଙ୍କେ ମାରଇ ହାଇ,
ସାଧୁବାଣୀ କହି ବିଭବ ଚୋରାଇ
କାନ୍ଦୁ ଆମେ କଇଁକଇଁ ॥
ନିର୍ଲଜ ମୁହଁରେ ଗାଉ ଆଖଡାରେ
ସାଜି ଖଳ ବିଭୀଷଣ,
ବ୍ୟାସ ସରୋବରେ ଲୁଚି ନିର୍ଭୟରେ
ହେଉ କଳି ଦୁଃର୍ଯ୍ୟୋଧନ ॥
ଅଙ୍କ ଦ୍ରବ୍ୟେ ପ୍ରୀତି ଦେଖି ନିତି ନିତି
ମୋହ ମାୟା ଶିକୁଳିରେ,
କଚ୍ଛପ ସାଜିଛୁ ବାଲି ଗରଡାରେ
ଆଭିଜାତ୍ୟ ବନ୍ଧନରେ ॥
ନିଆଁଖୁଣ୍ଟା ଦେଇ ନରମାଂସ ଖାଇ
ଶ୍ୱାନ ସାଜିଛୁ ଜଗତେ,
କାଳ ବନ୍ଧନରେ ମୋହ ଜଉଘରେ
ସପନ ଦେଖୁ ମରତେ ॥