ନିଃଶବ୍ଦ ସୀମାନ୍ତ
ନିଃଶବ୍ଦ ସୀମାନ୍ତ
ଗୁଳି ପିଉଥିଲା ଅମୃତ ରକତ
ନିଃଶବ୍ଦ ସୀମାନ୍ତ କୋଳେ
ଟଳି ପଡୁଥିଲେ ଅମୃତ ସନ୍ତାନ
ଦିଗନ୍ତର କରବାଳେ ॥
ବୀରଗର୍ଭା ମାଟି ଭରୁଥିଲା ଅଣ୍ଟି
କୋଳେ ସୁଯୋଗ୍ୟ ସନ୍ତାନ
ପ୍ରତିଶୋଧ ବହ୍ନି କୁହୁଳାଇ ଶାହ୍ନି
କରେ ଜୟହିନ୍ଦ୍ ଗାନ ॥
ଘାଇଲା ପ୍ରାଣରେ ଜନ୍ମମାଟି ପ୍ରୀତି
ଦେଉଥିଲା ସିଂହ ରଡି
ଲଂଘି ପଡୁଥିଲେ ରକ୍ତ ମୁଖା ହୋଇ
ବାନ୍ଧି ବିଜୟ ପଗଡି ॥
ପଲ୍ଲୀ ମଳୟରୁ ଭାସି ଆସୁଥିଲା
ପିତା ମାତା ଭଗ୍ନୀ ସ୍ନେହ
ମାନସ ପଟ୍ଟରେ ଉଙ୍କି ମାରୁଥିଲା
ପତ୍ନୀ ବିଦାୟର ମୁହଁ ॥
ବିବାହ ବେଦୀର ସାହନା୍ଇ ସୁର
ସାଜିଥିଲା ଯୁଦ୍ଧ ଭେରୀ
ରକ୍ତାକ୍ତ ଶରୀରେ ଫୁଟୁଥିଲା ଜବା
ଶତୃ ରକ୍ତେ ବକ୍ଷ ଚିରି ॥
ଶବ କାନ୍ଧେ ବହି ବନ୍ଧୁକ ଉଠାଇ
ଲମ୍ଫଦେଇ ଶତୃ ପରେ
ଅଇରି ବକ୍ଷରୁ ରକ୍ତ ପାନ କରି
ଲୋଟୁଥିଲେ ଅବନୀରେ ॥
କଫନରେ କିଏ ସଲାମୀ ହୁଙ୍କାରେ
ଶମଶାନ ଆହୁତିରେ
ବୈକୁଣ୍ଠ ଆଳୟେ ଶୋକଛାୟା ବାଢି
ବାହୁଡନ୍ତି ସ୍ୱର୍ଗପୁରେ ॥
ଅସହ୍ୟ ସୀମାନ୍ତ ଗାଇ ଶୋକ ଗୀତ
ବାଢୁଥିଲା ଦଣ୍ତବତ
ଶହୀଦ ରକ୍ତରେ ରଚି ଇତିହାସ
ସାଜିଥିଲା ଐରାବତ ॥
ଶାହ୍ନି=ହୃଦୟର ନିଭୃତ କୋଣର ବେଦନା