ଷଠିଘର
ଷଠିଘର
ଜୀବନର ବାର୍ତ୍ତା ଦିଏ ଷଠିଘର
ସୁସଂସ୍କାରେ ଗଢେ ପିଣ୍ଡ
ଷଠୀଘରେ ଆମ ପଡେ ମୂଳଦୁଆ
ଗୁଞ୍ଜେ କର୍ଣେ ମାଆ ଶବ୍ଦ ।
ଗୁଡ ମିଶା ମୁଢି ବିରି ମୁଗ ବୁଟ
ପଞ୍ଚୁଆଣି ଖାଦ୍ଯ ମିଶି
ଜନମ ଦିନର ପଞ୍ଚମ ଦିନରେ
କରାଯାଏ ପଞ୍ଚୁଆତି ।
ପାଟିରେ ପକାଇ ଚୋବାଏ ମାଆଟି
କାନେ କରେ କୁଡୁମୁଡୁ
ଶିଶୁଟି ଶୁଣିଲେ ଦୂର ହୁଏ ବାଧା
ଶୁଣିପାରେ ଭଲ ସବୁ ।
ରୋଷଘର କାନ୍ଥେ ଷଷ୍ଠୀ ଦିନ ହୁଏ
ଛ ମେଞ୍ଚା କାଦୁଅ ଛପା
କଉଡି ଛଅଟି ଦିଅନ୍ତି ଲଗାଇ
ହଳଦୀ କଜ୍ଜ୍ୱଳ ଲେପା ।
ହୁଏ ଭାତ ଡାଲି ଦୁଇ ତରକାରୀ
ଚକୁଳି ଓ ମାଛ ଭଜା
ଏନ୍ତୁଡିଶାଳରେ ଚାଲଇ ମାଲିସ
ଷଠିଦେବୀ ମାତା ପୂଜା ।
ସଧବା ସ୍ତ୍ରୀଲୋକ ମିଶି ସାତଜଣ
ଷଠିଦେବୀ ଉଦ୍ଦେଶ୍ଯରେ
ଅର୍ପଣ କରନ୍ତି ଛଅ ପରକାର
ଖାଦ୍ଯମାନ ଭକ୍ତି ଭରେ ।
ଗଡାଇ ଦିଅନ୍ତି ଭୂମିର ଉପରେ
ଶିଶୁ କରି ଯୋଡହସ୍ତ
ଜ୍ଞାତିବନ୍ଧୁ ମିଳି ସନ୍ଧ୍ଯା ସମୟକୁ
କରିଥାନ୍ତି ଭୋଜିଭାତ ।
ପୁତ୍ରଦା ସୁଖଦା ଦେବୀ ଷଠିମାତା
ଶିଶୁର କରନ୍ତି ରକ୍ଷା
ଅପୂର୍ବ ସୁନ୍ଦରୀ ଦେବୀ ଚମ୍ପା ବର୍ଣ୍ଣା
ରତ୍ନ ଭୂଷଣ ଭୂଷିତା ।
ଶୋଇଥିଲେ ଶିଶୁ ହସାନ୍ତି କନ୍ଦାନ୍ତି
ରହି ଉଜାଗର ସଦା
ଉଠାଇ ଦିଅନ୍ତି ସପନ ଦେଖାଇ
ଭାଙ୍ଗିଦ୍ଯନ୍ତି ଶିଶୁ ନିଦ୍ରା ।
କପାଳ ଲିଖନ କରନ୍ତି ବିଧାତା
ଷଠିଘରେ ଷଠିମାତା
ଆମ ପରମ୍ପରା ସଂସ୍କୃତି ମହାନ
ଭରା ଦିବ୍ଯ ବାସ୍ତବତା ।
