STORYMIRROR

padmaja pati

Classics

4  

padmaja pati

Classics

ମୃତ୍ୟୁପାଇଁ କିମ୍ପା ଭୟ

ମୃତ୍ୟୁପାଇଁ କିମ୍ପା ଭୟ

1 min
372

 ବୁଲୁଅଛି ମୃତ୍ୟୁ ଦୁଆର ଦୁଆର

ସାଉଁଟିବ ପ୍ରାଣବାୟୁ 

ଉପସ୍ଥିତ ହେବ କେବେ ବେଳ କାଳ 

ସରିଯିବ ଆମ ଆୟୁ।

କାହିଁକି ଡରୁଛ ତାକୁ ଦେହଧାରୀ?

ମୁଁହଟିକୁ ତା'ର ଦେଖ

ଲାସ୍ୟମୟୀ ସେହି,ରକ୍ତିମ ଆଭାରେ

ଝଟକୁଛି ଦିବ୍ୟ ମୁଖ।

ଦୟାବତୀ ସେ ଯେ ସୁନ୍ଦରୀ ତରୁଣୀ

ବାଛି ବାଛି ନିଏ ତୋଳି

 ବିଶ୍ଵ ବଗିଚାରୁ କେଡେ ସରଗରେ

ଜୀବନ କୁସୁମ କଳି।

ମଧୁମୟ ଏଇ ସୁନ୍ଦର ଧରାରେ

ବରଷେ କରୁଣା ବାରି

ଧୋଇନିଏ ଯେତେ କଳୁଷ କାଳିମା

କିଏ ହେବ ତା'ର ସରି।

ଜୀବନର ଯେତେ ଘାତ ପ୍ରତିଘାତ 

ରାଗ ,ରୋଷ,ଅଭିମାନ

ଜରାଜୀର୍ଣ୍ଣ ଦେହ, ବ୍ୟାଧି ପ୍ରପୀଡ଼ିତ

ଅଶୋଧିତ ମନ, ପ୍ରାଣ।

ପାଏ ଶାନ୍ତି ଲଭି ମୃତ୍ୟୁର ପରଶ

ସୁଶୀତଳ ହୁଏ ଦେହ

ପରିବେଶ ହୁଏ ଖାଲି ଶୋକାତୁର

ଆଖିରେ ଆଣଇ ଲୁହ।

ଦ୍ଵାରପାଳ ପରି ଖୋଲେ ସେ ପିଞ୍ଜରା

ଉଡିଯାଏ ପ୍ରାଣ ପକ୍ଷୀ

ଶରୀରଟି ହୁଏ ନୀରବ, ନିଶ୍ଚଳ 

ବନ୍ଧୁ,ପରିଜନ ଦୁଃଖୀ।

ଆତ୍ମ ପକ୍ଷୀ କିନ୍ତୁ ଭାରି ସ୍ଥିତପ୍ରଜ୍ଞ

ଥାଏ ଅସୀମ ସନ୍ଧାନେ

ଜ୍ୟୋତି ପାରାବାର ଦେଖି ଉଲ୍ଲସିତ

ଡୁବେ ତପ,ଜପ,ଧ୍ୟାନେ।

ଫୁଲ ତୋଳିଲେ କି କରେ ଦୁଃଖ ଡାଳ

ଭାବିଛି କି କେବେ ମନେ?

 କଷ୍ଟ ତ ନିଶ୍ଚୟ ହୋଇବ ଗଛକୁ

 ତୋଳିଲେ ଯେତେ ଯତନେ ।

ବୃନ୍ତରେ ଫୁଲଟି ଦିଶଇ ସୁନ୍ଦର

ତୋଳି ନେଲେ ଦିଶେ ଖାଲି

କରିଛି କି କଷ୍ଟ ଗଛ ଅବା ଡାଳ 

ପାରେନା ସେ ମୁଁହ ଖୋଲି।

କେତେ ଯେ କାହାଣୀ ହୋଇଅଛି ଗଢା

 କେବଳ ମୃତ୍ୟୁକୁ ନେଇ

କରିଲେ କୁକର୍ମ ତାତିଲା କଡ଼େଇ

ଯହିଁ ତେଲ ଫୁଟୁଥାଇ।

ଡର ସେଥିପାଇଁ ରଖିଛ ମନରେ

ଶୁଣି ଶୁଣି ସଂସାରରୁ ।

ଦୂର୍ବଳ ଆତ୍ମାର ଏ ସବୁ ବିଚାର

ଚିନ୍ତ ବାଞ୍ଛା କଳ୍ପତରୁ।

ଜରାଜୀର୍ଣ୍ଣ ବସ୍ତ୍ର ହୋଇଗଲେ ଆମ

 ଚେଷ୍ଟା ତ ବଦଳିବାକୁ 

ସେହିପରି ମୃତ୍ୟୁ ଦିଏ ବଦଳାଇ

 ପୁରୁଣା ଶରୀରଟିକୁ ।

ଭେଟି ଶାଶ୍ଵତଙ୍କୁ ଚାହେଁ ନୂଆ ଦେହ 

ଉଚ୍ଚତର ମନ,ପ୍ରାଣ

ନୂଆ ପରିବେଶ ପାଇବା ସମ୍ଭବ

ମୃତ୍ୟୁ ଲାଗି ଏକା ଜାଣ ।


 















Rate this content
Log in

Similar oriya poem from Classics