ଜୟ ଭାରତ ଜୟ
ଜୟ ଭାରତ ଜୟ
କୋଟିଏ କଣ୍ଠେ ଗାଇବା ଆସ
ଜୟ ଭାରତ ଜୟ,
ଜାତୀୟ ଧ୍ବଜା ଉଡ଼ାଇ ଦେବା
ହୋଇ ଆନନ୍ଦ ମୟ ।
ଆର୍ଯ୍ୟଭୂମି ଏ ପୁଣ୍ୟଭୂମି ଯେ
ସରଗ ଠାରୁ ବଳି,
ଯେତେକ ତା'ର ଗୁଣ ଗରିମା
ପାରିଛି କିଏ କଳି ।
ଶୂର-ବୀରଙ୍କ ଜନମଦାତ୍ରୀ
ସେ ତ କଲ୍ୟାଣମୟୀ,
ଆଦର୍ଶ ଲାଗି ହୋଇଛି ସଦା
ବିଶ୍ୱ ହୃଦୟ ଜୟୀ ।
ତାହାର ତେଜ, ରୂପ, ବିଭବ
ଦେଖି ବଇରୀ ଜଳେ,
ଛଡ଼ାଇ ନେବ ସକଳ ସୁଖ
ଭାବିଛି କଉଶଳେ ।
କଦାପି ତାକୁ ସେଇ ସୁଯୋଗ
ଦେବାନି ଆମେ ଛାଡ଼ି,
ଦେଖୁଛି ଯେଉଁ ଦିବା ସ୍ୱପ୍ନ ସେ
ନେବାଟି ତାହା କାଢ଼ି ।
ବିବ୍ରତ ନୋହି ଯେତେକ ସୁତ
ସକଳେ ଥିବା ଜାଗି,
ଆପଣା ସୁଖ ମଣିବା ସଦା
ତା' ହିତ କାମେ ଲାଗି ।
ଜପିବା ଆମେ ସଦଭାବନା
ଭାଇଚାରାର ମନ୍ତ୍ର,
ଅଖଣ୍ଡ ହୋଇ ରହିବ ଆମ
ଭାରତ ରାଷ୍ଟ୍ର-ତନ୍ତ୍ର ।
