ଜୀବନର ଜୟ ଯାତ୍ରା
ଜୀବନର ଜୟ ଯାତ୍ରା
ଶରୀର ରଥରେ ସମୟ ପଥରେ
ଜୀବନର ଜୟ ଯାତ୍ରା,
ଭ୍ରମଣ ସରିଲେ ଜୀବନ ଲଭିବ
ଚିର ନିର୍ବାଣର ମୁଦ୍ରା। [୧]
ମନ ଓ ବିବେକ ଅଶ୍ୱ ଦୁଇଗୋଟି
ଚଳାଇ ନିଅନ୍ତି ରଥ,
ଯେ ଯାହା ଶକତି ପରଖିବା ପାଇଁ
ସଦା ଶତତ ଚେଷ୍ଟିତ । [୨]
ପ୍ରାରବ୍ଧ କରମ ଭାଗ୍ୟ ଓ ପ୍ରକୃତି
ଏ ଚାରି ସୈନ୍ୟ ସାମନ୍ତ,
ସାଥେ ସାଥେ ଧରି ଜୀବନ ଆମର
ଜୟ ଯାତରାରେ ଲିପ୍ତ । [୩]
ଯାତରାରେ କେବେ ଜୟ ପୁଣି କେବେ
ହୋଇଥାଏ ପରାଜୟ,
ବାସ୍ତବତା ଯାହା ସେ ଅବଶ୍ୟମ୍ଭାବୀ
ସଦା ହେଉ ଗ୍ରହଣୀୟ । [୪]
ଯାତରା ସମୟେ କେବେ ପଡିଯାଇ
ସହଯାତ୍ରୀଙ୍କର ମୋହେ,
ମନର ବଶରେ ବିବେକକୁ ଭୂଲି
ମୋହଗ୍ରସ୍ତ ହୋଇଯାଏ । [୫]
ରେ ଜୀବନ ତୋର ଲକ୍ଷତ ଚୂଡାନ୍ତ
ତତେ ତ ଯିବାକୁ ହେବ,
ବୟସର ଝଡ ପ୍ରହାରେ କମୁଛି
ଶରୀର ରଥର ବେଗ। [୬]
ମୁକତି ପଥର ଯାତ୍ରୀ ତୁମେ ସତ୍ୟ
ଶିବ ସୁନ୍ଦରଙ୍କୁ ଧ୍ୟାୟୀ,
ଦୁଃଖ ସୁଖ ସମ ମଣି ଆଗେଇଯା
ଚରୈବତି ମନ୍ତ୍ର ଗାଇ। [୭]