STORYMIRROR

Sambit Srikumar

Horror Tragedy Crime

3  

Sambit Srikumar

Horror Tragedy Crime

ଇତିହାସ ଯେବେ କଡ଼ ଲେଉଟାଏ!

ଇତିହାସ ଯେବେ କଡ଼ ଲେଉଟାଏ!

1 min
266

ସତରେ କଣ ଯୁଗର ବିବର୍ତ୍ତନରେ

ଇତିହାସ କଡ଼ ଲେଉଟାଏ?

ସମୟର ଉଜାଣି ସୁଅରେ

ପୁନର୍ବାର ଆପଣାକୁ ଦୋହରାଏ?

ଧ୍ବଂସର ପାଉଁଶ ଗଦାରୁ ଝାଡି ଝୁଡି

ପୁଣି ଜୀଇଁ ଉଠେ କି ଜୀବନ?

କବର ତଳେ ସୁପ୍ତ ସୈତାନର

ଜୀବାଶ୍ମ ପାଇଯାଏ କି ଜୀବନ୍ୟାସ?? 

କଥା କାହାଣୀ କିମ୍ବଦନ୍ତୀରେ ଲିଖିତ

ଏଇ ଉଡ଼ାକଥା ଅବା ଅଛି ଚାକ୍ଷୁସ ପ୍ରମାଣ?

କାଇଁ ତ ଲେଉଟି ଆସୁନାହିଁ ଆମର

ସ୍ବର୍ଣ୍ଣିମ ଇତିହାସର ସୁଖଦ ଫର୍ଦ୍ଦ ସବୁ?

ଇଛା ଆଉ ଥରେ ତାହାକୁ ଜୀଇଁବାକୁ

ଅତୀତକୁ ପୁଣି ଥରେ ଅଙ୍ଗେ ନିଭାଇବାକୁ

ନିରିଖେଇ ଦେଖିବାକୁ ମନଭରି

ସେଇ ସବୁ ପୁରୁଣା ସ୍ମୃତି ବିସ୍ମୃତିକୁ!! 

ସଦାସର୍ବଦା କାହିଁ ପାଇଁ ନକାରାତ୍ମକ

ଘଟଣାବଳୀର ହୁଅଇ ପୁନରାବୃତ୍ତି?

ଇତିହାସ ଯେବେ କଡ଼ ଲେଉଟାଏ

ସୈତାନ୍ ସବୁ ସୁଶୁପ୍ତିରୁ ଉଠନ୍ତି ଜାଗି

ଅନ୍ୟାୟ ଅନୀତିର ଚାଲଇ ରାଜୁତି

ବାହୁବଳରେ ବଦଳି ଯାଏ ଧର୍ମନୀତି

ଦେଶ ଓ ଜାତିର ଭୌଗୋଳିକ ଅବସ୍ଥିତି

ମାନବର ସମ୍ମାନ - ସୁରକ୍ଷା - ସମ୍ପତ୍ତି!! 

ଶତାବ୍ଦୀ ଶତାବ୍ଦୀ ଧରି କିଛି ବି ତ

ବଦଳି ନାହିଁ ଏଇ ପୃଥିବୀ ପୃଷ୍ଠରେ

ପ୍ରାଗୈତିହାସିକ ଯୁଗରୁ ମଧ୍ଯଯୁଗ

ତହିଁରୁ ପୁଣି ଅଧୁନାତନ ପରିସ୍ଥିତି

ସେଇ ଏକା କଥା ଧରାବନ୍ଧା ନୀତି

ଜୋର୍ ଯା'ର ମୂଲକ ତା'ର

ବୀର ଭୋଗ୍ଯା ବସୁନ୍ଧରା ନ୍ଯାୟ

ତ ଯୁଗେ ଯୁଗେ ତର୍କ ସଙ୍ଗତ

ପ୍ରମାଣ ସିଦ୍ଧ ଯୁଗାନ୍ତରର ସିଦ୍ଧାନ୍ତ

ସମୟର କଷଟିରେ ବାରମ୍ବାର ପରୀକ୍ଷିତ!! 

ଏଇ ବୀରତ୍ବ ସହିତ କ୍ରୁରତା ବର୍ବରତା କି

ଚିରକାଳ ଓତଃପ୍ରୋତ ଭାବେ ଜଡିତ?

ଧର୍ମର ଦ୍ବାହି ଦେଇ ନାରୀର ସମ୍ମାନ

କରିବାକୁ ଭୂଲୁଣ୍ଠିତ ଶତତ ଚେଷ୍ଟିତ

ଶିଶୁ ବୃଦ୍ଧ ନିରାଶ୍ରୟ ନିଃସହାୟ ପ୍ରାଣ

କରିବାକୁ ସମୂଳେ ନିଃଶେଷ ନିପାତ

ସୃଜିବାକୁ ମାନବ ସଭ୍ୟତାର ଧ୍ବଂସସ୍ତୁପ

ରଚିବାକୁ ମୃତ୍ୟୁର ଜାନ୍ତବ ତାଣ୍ଡବ!! 

ଇତିହାସ ଯେବେ କଡ଼ ଲେଉଟାଏ

ସଭ୍ଯ ସମାଜର ବିଜ୍ଞଜନ ସାଜେ

କାଳେ କାଳେ ନୀରବ ଦର୍ଶକ

ବିଶ୍ବଶକ୍ତି ନିରସ୍ତ୍ର ଜାତିସଂଘ ନିର୍ବାକ

ପରାଙ୍ଗପୁଷ୍ଟ ଶାସକ ହୁଏ ପଳାତକ

ହୀନିମାନ ହୁଏ ଯାହା ମାଟିର ମଣିଷ

ଜୀବନ ବଞ୍ଚାଇବାକୁ ଅବାସ୍ତବ ରାହାରେ

ମଥା ପିଟି କାନ୍ଦୁଥାଏ ପ୍ରିୟଜନର ଶୋକରେ

ଅକାଳରେ ଝରିଯାଏ ମାଟିମାଆର କୋଳରେ

ସୈତାନ୍ କରୁଥାଏ ଅଟ୍ଟହାସ୍ୟ ବୀର ଦର୍ପରେ!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror