STORYMIRROR

Dharmaraj Majhi

Tragedy

2  

Dharmaraj Majhi

Tragedy

ହାଟ

ହାଟ

1 min
347

ସହରରେ ପ୍ରଗତିର ପତାକା,

ସୁଉଚ୍ଚ ଅଟ୍ଟାଳିକା ରେ ଉଡ଼ୁଛି ଫର ଫର ହୋଇ,

କୋଳାହଳ ଶବ୍ଦରେ ବ୍ୟସ୍ତ ଜୀବନ

ନିର୍ବାକ ଆଉ ସ୍ତବ୍ଧ କିନ୍ତୁ ଆବେଗ ର ପ୍ରବାହ

ଲୁହ ଲହୁ କୋହ ଭୟ ର ଅନ୍ତର୍ନାଦ ଅହରହ


ଉନ୍ନୟନର ଚଳ ପ୍ରଚଳ ଏ ରାଜପଥ ରେ

ସ୍ୱପ୍ନର ହାଟ ବସେ ଦୁଇ ଧାରେ,

ମଣିଷ କିଣାବିକା ପର୍ବ ଆରମ୍ଭ ହୁଏ,

ମୂଲଚାଲରେ ବିକ୍ରି ହୋଇ ଯାଏ ମଣିଷ ପଣ୍ୟ ପରି,

ଗରାଖ, ଦଲାଲ ଆଉ ମାଲିକଙ୍କ ଚକ୍ରାନ୍ତରେ ,

ଶ୍ରମିକ ସାଜେ ଦାଦନର ଦାନା,

ଆଉ ଚକ୍ରବ୍ୟୁହରେ ହୁଏ ଅଭିମନ୍ୟୁର ବଧ,

ବଂଚିଗଲେ ବିକଳାଙ୍ଗ ଅବା ନିଖୋଜ ଆଉ ଅଜଣା,

ପରିବାର ର ବୋଝ ମୁଣ୍ଡାଇଥିବା ଲୋକଟା

ରହିଯାଏ ବୋଝ ହୋଇ


ଝଲମଲ ଚିକ୍ ମିକ୍ ରାସ୍ତା

ରଙ୍ଗୀନ ଆଲୁଅ ରେ ସଜ୍ଜିତ ସବୁ କୋଠା,

ସଂଜରେ ବେହିସାବ ଯନ୍ତ୍ରଣା ଆଉ ଦୁଃଖ ଦାଦନର,

ସାରା ସହରକୁ ଆଲୋକିତ କରି ସେ,

ଜାଳିଥାଏ ଦୀପଟିଏ...,ଏ ବିଶ୍ଵାସରେ,

ବସ୍ତିରେ ଏ କୁଡିଆ ଅନ୍ୟଙ୍କ ପାଇଁ ହେବ ବତୀଘର


ସଂଚୁଥାଏ ବଳ ଆଗାମୀ କାଲିର

ପାଞ୍ଚଟଙ୍କାର ଆହାର ଖାଇ

ସାରା ଦିନର ପରିଶ୍ରମ ଶୋଇଯାଏ

ଦୀପ ତଳର ଅନ୍ଧାର ହୋଇ


ଅନ୍ୟପଟେ ପିଶାଚଙ୍କ ହାଟ ବସେ

ହତ୍ୟା ପାଇଁ ଵଇନା ମିଳେ

ଆବେଗ ର ହIତଗୋଡ ବାନ୍ଧି

ଖେଳାହୁଏ ରକ୍ତର ହୋଲି

ହତ୍ୟା ଏଠି ଶୋକ ନୁହେଁ

ଏକ ଉତ୍ସବ

ମୃତ୍ୟୁ ର ଵିକଟାଲ ଅଟ୍ଟହାସ

ନୃସଂଶ ଏ ହାଟ ର କାରବାର


ରାତିରେ ଦେହର ହାଟ ବି ବସେ

ଗାଁ ର ସ୍ବପ୍ନ ଏ ବଜାରରେ ଉଠେ ,ପଡେ

ଦୌଡେ, ଖିନ୍ ଭିନ୍ ହୁଏ, ରକ୍ତାକ୍ତ ବି ହୁଏ

ଭଲପାଇବା ବିକ୍ରି ହୁଏ ରାତିର ବହଲ ଅନ୍ଧାରରେ

ଫ୍ଲାଟରେ, କୁଡ଼ିଆରେ, ଫୁଟପାଥରେ

ପୁଣି ନିଷିଦ୍ଧ ସେ ଲାଲ ଇଲାକାରେ


ସହର ସାରା

ଏ ଅବାଧ ହାଟ

ପଣ୍ୟ ନୁହେଁ ଦେହର

ପୁଣ୍ୟ ନୁହେଁ ପାପର

ବୈଧ ନୁହେଁ ଏ ଅବୈଧର

ନ୍ୟାୟ ନୁହେଁ ଏ ତ ଅନ୍ୟାୟର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy