କେମିତି କହିବି କହ
କେମିତି କହିବି କହ
କେମିତି କହିବି କହ ମନଖୋଲା କଥା
ଯାଉଅଛି ସବୁ କଥା ମନରେ ତ ମରି,
ଦରଦୀ ହୃଦୟଟିଏ ବିରଳ ଏ ଦୁନିଆରେ
ସଭିଏଁ ତ ନିଜ ସୁଖେ ହେଉଛନ୍ତି ଘାରି ।
ଭାଙ୍ଗୁଛି ହୃଦୟ ଜଳେ ଅନ୍ତରେ ତରଳ ଲାଭା
ଅତୀତ ମୋ ସ୍ମୃତି ସବୁ ଗଦାଗଦା ପାଉଁଶର କୁଢ଼,
ଖୋଜୁଛି ନିଜକୁ ନିଜେ ଉଠିବ ଗଜୁରି କାଳେ
ଦରପୋଡା ଅବଶେଷୁ ବଞ୍ଚିଥିବା ମୋ ଅଂଶର ମୂଳ ।
ଆଶ୍ଚର୍ଯ୍ୟ ଚକିତ ମନେ ଭାବୁଅଛି ଅନୁକ୍ଷଣେ
ପାଇବ ଏ ଅମାରାତି ଉଇଁବେକି ପୂରୁବେ ଅରୁଣ
ସତ୍ୟ ଶିବ ସୁନ୍ଦରର ହେବ ପୁନଃ ଉତ୍ତରଣ
ପୁଲକି ଉଠିବ ପ୍ରାଣେ ସ୍ନେହ ମୈତ୍ରୀ ବନ୍ଧନ ।
ପାପ ତାପ ଅହଙ୍କାର ବିକଟ ଉତ୍କଟ ବିଷ
ରୋଗ ଦୁଃଖ ମହାମାରୀ ପ୍ରକୃତି ସଙ୍କଟ
ହେଉ ଶୁଦ୍ଧ ଆଚରଣ କଳ୍ମୁଷର ବିମୋଚନ
ଉଦ୍ଧରିବେ ବିପଦରୁ ପ୍ରଭୁ ନୀଳକଣ୍ଠ ।
ଜଣାଉଛି ସୁପ୍ରଭାତ ମଙ୍ଗଳେ ଜାଗୁ ସଙ୍କଳ୍ପ
ଭରିଉଠୁ ପ୍ରତିପ୍ରାଣେ କଲ୍ୟାଣ ଭାବନା
ଖେଳି ଉଠୁ ଅଧରରେ ସୁମଧୁର ସ୍ମିତହାସ୍ୟ
ଉଲ୍ଲାସ ଆନନ୍ଦ ହେଉ ସୁମାନସ ଚେତନା ।
