ମୁଖା
ମୁଖା
ସପନର ଫୁଲ ତୋଳୁ ତୋଳୁ
ସକାଳଟା ଆପେ ଦେଲା ଧରା
ଚମକି ଚାହିଁଲି ଯେବେ ମୁହିଁ
ତୁମେ ମୋର ପାଶେ ଥିଲ ପରା ।
ବୈଶାଖର ବହଳ ମରୁରେ
ବହୁଥିଲା ସୋହାଗର ନଈ
ଅନ୍ଧାରରୁ ଆଲୁଅକୁ ଚିରି
ଅପସରି ଯାଉଥିଲା ଛାଇ ।
ହେଲେ ଏତେ ପାଖେ ଥାଇ ଲାଗେ
ତୁମଠାରୁ ବହୁତ ଦୂରରେ
କେତେବେଳେ କୋଉକଥା ହେବ
କିଏବା କହିବ ଏ ବେଳାରେ ?
ସହି ହେଉନାହିଁ ଏବେ ଆଉ
କି କରିଲା କରୋନା ବେମାରୀ
ଛାତିତଳ ଦୁଃଖ ସବୁ ଯେତେ
ମନତଳେ ହେଉଛି ଗୋ ଝୁରି ।
ବିଶ୍ୱାସର ବଗିଚାରେ ବସି
ନିଶ୍ୱାସକୁ ଦେଇଛି ଘୋଡେଇ
ମୁଖାର ମାୟାରେ ମରି ମରି
ସ୍ବପ୍ନ ସବୁ ଯାଉଅଛି ଶୋଇ ।
ତଥାପି ମୁଁ ଅଛି ପାଖେ ପାଖେ
ସାମାଜିକ ଦୂରତା ନମାନି
ମରିଗଲେ ମରିଯିବି ପଛେ
ଆଉ କାହା କଥା ଶୁଣିବିନି ।