ଅନ୍ତର୍ଦ୍ଵନ୍ଦ
ଅନ୍ତର୍ଦ୍ଵନ୍ଦ
ମନ ଭିତରେ ସଦା ସର୍ବଦା
ଆତଯାତ ହୁଅନ୍ତି ଭାବନାମାନେ
ସତେ ଯେପରି,
ତାଙ୍କୁ କିଏ ରାଣ ନିୟମ ପକାଇ କହିଯାଇଛି ,
କେବେ ଛାଡ଼ି ନ ଯିବୁ ଏ ସ୍ଥାନ,
କିଛି ସମୟ ପାଇଁ
ଏକୁଟିଆ କରି ଛାଡ଼ି ଗଲେ ବି ,
ପୁଣି ଆସି ଆସ୍ଥାନ ଜମେଇବୁ
ସେ ସ୍ଥାନରେ ।
ଏସବୁ ଭାବନାମାନେ
ଏତେ ତୀବ୍ର ଯେ
ଶୟନେ ସ୍ଵପନେ ଜାଗରଣେ
କବଳିତ କରିଚାଲନ୍ତି
ମନୁଷ୍ୟର ବୁଦ୍ଧି ବିବେକ ଓ କାର୍ଯ୍ୟକୁଶଳତାକୁ ,
ପ୍ରତି ପାଦେ ପାଦେ
ସୃଷ୍ଟି କରନ୍ତି ଅନ୍ତର୍ଦ୍ଵନ୍ଦ ।
ସରଳ ମନୋଭାବ ନେଇ
କାହା ଉପରେ
ଅନ୍ଧ ଭାବେ ବିଶ୍ଵାସ କରିଥିବା
ନୀରିହ ଆତ୍ମାଟି
ଯେବେ ଠକାମୀର ଶିକାର ହୁଏ ,
ତା' ଭିତରେ ନିତି ମରି ମରି
ଅଳ୍ପ ବଞ୍ଚୁଥିବା ମଣିଷପଣିଆ ଟିକକ
ପ୍ରତି ମୂହୁର୍ତ୍ତରେ କରୁଥା'ନ୍ତି ଅନ୍ତର୍ଦ୍ଵନ୍ଦ ,
ନିଜ ନିଜ ଭିତରେ
ଠିକ୍ ଓ ଭୁଲ୍ ଭିତରେ ,
ଲୋକହସା ଓ ଆତ୍ମ-ସ୍ବାଭିମାନ ଭିତରେ ।
ଜୀବନ ବି ତ ପାଣି ଫୋଟକା ପରି
ଆଜି ଅଛି ତ କାଲିକୁ ନାହିଁ
ବୟସକୁ ସତେ ଯେମିତି
ଆଖି ମିଟିକା ମାରୁଛି ଆୟୁଷ ,
ଜୀବନ ମରଣର ଏହି
ଦୋ ଛକିରେ ଠିଆ ମଣିଷ ଭିତରେ
ଜନ୍ମ-ମୃତ୍ୟୁର ଚକ୍ରବ୍ୟୁହ ପାଲଟେ
ନୀରବ ନିର୍ବିକାର ସ୍ରଷ୍ଟା
ଏକ ନୂତନ ମାନସିକ ଅନ୍ତର୍ଦ୍ଵନ୍ଦର ।
