ମାଆ
ମାଆ
ମାଆ ବୋଲି ଯେଉଁ ଦୁଇଟି ଅକ୍ଷର
ଶିଖିଲି ତୋ ଠାରୁ ମୁହିଁ।
ଯେତେ ଡର ଥିଲେ ଉଭା ହୋଇ ଯାଏ
ତୋ ମୁହଁକୁ ଦେଲେ ଚାହିଁ।
ହସରୁ ତୋହର ମୁକୁତା ଝରଇ
ଲୁହରୁ ଲହୁର ଧାର ।
ସବୁ କଷ୍ଟ ଏକା ସହିଯାଉ ମା
ଦେଇ ସଭିଙ୍କୁ ଆହାର ।
ଦେହ ଖରାପରେ ରାତି ରାତି ଜଗି
ବସିଥାଉ ପିଲା ପାଶେ ।
ତୋରି ଦୁଃଖକୁ ଦେବତା ଡରଇ
ରଖେ ତୋ ପିଲାଙ୍କୁ ଯଶେ ।
ମାଆ ତୋ ମମତା ପାସୋରି ହୁଏନି
ଯେତେ ଦୂରେ ଥିଲେ ମୁହିଁ ।
ଆଜି ବି ସେ ଦିନ ମନେ ମୋର ଅଛି
ଜମା ଭୁଲି ହୁଏ ନାହିଁ ।
ଆଜି ଶାଶୁ ଘରେ ମାଆ ଟିଏ ହୋଇ
ନିଏ ମୋ ପିଲାର ଯତ୍ନ ।
ତୋ ଠାରୁ ଶିଖିଛି ମା'ର କର୍ତ୍ତବ୍ୟ
ଭୁଲିଯାଇ ସୁଖ ମନ ।
ମୋ ଦୁଃଖରେ ତୁ ଦୁଃଖୀ ହେଉ ଥାଉ
ସୁଖରେ ଡାକୁ ଠାକୁର ।
ତୋ କଷ୍ଟର ମୂଲ୍ୟ ସୁଝି ହେବ ନାହିଁ
ଯେତେ କଲେ ଉପକାର ।
ଦୁନିଆରେ ସବୁକିଛି ମିଳେ ସ୍ବାର୍ଥ ଭାବେ
ତୋ ପ୍ରେମ ନିଃସ୍ଵାର୍ଥପର ।
କାହିଁକି ଏତେ ତୁ କରୁ ପିଲା ପାଇଁ
ଆଜି ମୁଁ ବୁଝିଛି ସୁନ୍ଦର ।
ବାପା ମାଡ଼ ଦେଲେ ତୁ କାନ୍ଦୁ ଥାଉ
ଆମ ଲୁହ ଦେଖି ଦୁଃଖୀ ।
ସତରେ ଲୋ ମାଆ ତୋ ଦୁଃଖ ଆମେ
ବୁଝି ପାରୁନାହୁଁ ଦେଖି ।
କେଉଁ ଧାତୁ ରେ ଗଢିଛି ବିଧାତା
ଦାଗ ଦେଇନାହିଁ ତୋତେ ।
ହସ ହସ ମୁହଁ ସବୁବେଳେ ତୋର
ଉତ୍ସାହ ଦିଏ ଯେ ମୋତେ ।
ଗୁଣ ତୋ ଅପାର ସରିବ ନାହିଁ ଲୋ
ଯେତେ ଗାଉଥିଲେ ମୁହିଁ ।
ଆଶୀର୍ବାଦ ଖାଲି ରଖିଥା ମୋ ମା
ତୋ ପାଇଁ ଲେଖିବା ପାଇଁ ।।