ଓଡ଼ିଆ ଜାତିର ଲଢୁଆ ବୀର- 09: ଚକରା ବିଷୋୟୀ-ଡକ୍ଟର କୃତ୍ତିବାସ ନାୟକ
ଓଡ଼ିଆ ଜାତିର ଲଢୁଆ ବୀର- 09: ଚକରା ବିଷୋୟୀ-ଡକ୍ଟର କୃତ୍ତିବାସ ନାୟକ
ଘୁମୁସର ରାଜ୍ୟ ଅଙ୍ଗୋଲ ଗାଆଁର ବେଣିଆ କନ୍ଧ ଜାତି,
ଇଂରେଜ ବିରୋଧୀ ଶ୍ୟାମ ବିଷୋୟୀ ସେ ଲଢିଲେ ଫୁଲାଇ ଛାତି |
ନୃଶଂସ ଫଉଜ ନିର୍ମମ ଭାବରେ ଶ୍ୟାମକୁ କରିଲେ ହତ୍ୟା,
କମଳ ବିଷୋୟୀ ପ୍ରତିଶୋଧ ପାଇଁ ସାଜିଲେ ବିଦ୍ରୋହୀ ନେତା |
ଶ୍ୟାମ ସାନଭାଇ କମଳଲୋଚନ ରଖିଲେ ବିଦ୍ରୋହ ତେଜି,
ନଅବର୍ଷ କାଳ ଲଢିଲଢି ବୀର କାରାଗାରେ ଗଲେ ହଜି |
ଘୁମୁସର କନ୍ଧ ନିଜ ଦାବିନେଇ ମାତିଲେ ହୋଇ ପ୍ରବଳ,
ଚକରା ବିଷୋୟୀ ସଂଗ୍ରାମ ଚଳାଇ କଲେ ଶାସନ ଅଚଳ |
ଗରିଲା ଲଢେଇ ରଣ କୌଶଳେ ଦେଶହେଲା ଥରହର,
ବଡ଼ଲାଟ ନିଜେ ଆଦେଶ କରିଲେ-ଚକରାକୁ ବନ୍ଦୀକର |
ଚକରା ଚକରା ଚହଳ ପଡ଼ିଲା ଚତୁର ଚକରା କାହିଁ ?
ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲରେ କେଉଁଠି ତ ମିଳୁନାହିଁ |
ଘୁମୁସରଠାରୁ ଜୟପୁର ଯାଏ ତେଲନଦୀ ଉପତ୍ୟକା,
ଆଜି କଳାହାଣ୍ଡି କାଲିକୁ ଖେମୁଣ୍ଡି ସବୁଠି ଚକରା କଥା |
ଆତଙ୍କ ଆଶଙ୍କା ଘେରି ରହିଥିଲା ଦଶବର୍ଷ ଗଲାବିତି,
ସକଳ ଯୋଜନା ବିଫଳ ହୋଇଲା ଭାଙ୍ଗିଲା ଶାସନ ଭିତ୍ତି |
କେତେ ସହଯୋଗୀ ଦେଲେ ପ୍ରାଣବଳି ନୂଆଁଇଲେ ନାହିଁ ଶିର,
ଚକରା ବିଷୋୟୀ ଚକମା ଦେଖାଇ ହୋଇଲେ ଜାତୀୟ ବୀର |
ପାଇଲେନି କେହି ଧରି ସେ ବୀରଙ୍କୁ ଅନ୍ତର୍ଦ୍ଧାନ ହୋଇଗଲେ,
ସିପାହୀ ବିଦ୍ରୋହ ଆସିଲା ତା’ପରେ ତାଙ୍କୁ ସବୁ ଭୁଲିଗଲେ |
