STORYMIRROR

Dharmaraj Majhi

Abstract Others

3  

Dharmaraj Majhi

Abstract Others

ଛଅଟି ସ୍କେଚ୍ ପ୍ରେମର

ଛଅଟି ସ୍କେଚ୍ ପ୍ରେମର

1 min
378


(୧)

ପ୍ରଚଣ୍ଡ ଇଚ୍ଛା ହୁଏ

କଥା ହେବାକୁ ଦେଖିଲେ ବାଟରେ ଘାଟରେ

ପୁଣି ଉପଲବ୍ଧ ଥିଲେ ମୋବାଇଲରେ

ଅକ୍ଷରଙ୍କୁ ଛୁଇଁବା ମନା,

ଶବ୍ଦ-କୋଷ ବନ୍ଦୀ

ଶୁନଶାନ୍ ରାତିରେ

ନୀରବତା ଅନେକ କିଛି କହେ ,

ସେ କି ବୁଝେ ??

ନିରବତା ପ୍ରତିଶବ୍ଦ ପ୍ରେମର ଏବେ !!


(୨)

କାର୍ଯ୍ୟ ବ୍ୟସ୍ତରୁ ବାହାରି

ବାରମ୍ବାର ପାଖକୁ ଯିବା ସହଜ ନୁହେଁ,

ଅଥଚ ମୋର ପ୍ରୟାସ,

ଅବହେଳା ଆଉ ହତାଦରର ଯନ୍ତ୍ରଣା

ଯେ କେତେ ମାରାତ୍ମକ,

ସେ କି ବୁଝେ ??

ପ୍ରେମ ଆଜି ଏକାନ୍ତ ହିଁ ଖୋଜେ ।


(୩)

"ଭଲ ପାଏ" "ଭଲ ପାଏ ''

ଏଇ ଦି' ପଦ ,

କହିବି କହିବି ବୋଲି ଆସି

କହି ନ ପାରିବାର ଅସହାୟତା,

ଯେ କେତେ ଯନ୍ତ୍ରଣାଦାୟକ

ସେ କି ବୁଝେ ??

ପ୍ରେମ ଏବେ ମୁକ ଆଉ ନିର୍ବାକ !!


(୪)

ବେଳେ ବେଳେ ଖୁବ୍ ଚିତ୍କାର କରି

ଇଚ୍ଛା ହୁଏ କାନ୍ଦିବାକୁ,

କାନ୍ଦି ନ ପାରିବାର ବିବଶତା

ଯେ କେତେ ଭୟାବହ

ସେ କି ବୁଝେ ??

ପ୍ରେମ ଏବେ ଲୁହ ,

ଶୁଷ୍କ ଭାବେ ପ୍ରତୀୟମାନ ଆଖିରେ !!


(୫)

ଖୁବ୍ ଆଗକୁ ବଢ଼ିଥିବା ସାଥି

ହାତ ଛଡ଼ାଇ ଯିବା ପରେ

ତା'ରି ସହରେ ନିଜକୁ ନିରୁଦୃଷ୍ଟ କରିବା

ଯେ କେତେ କଷ୍ଟ

ସେ କି ବୁଝେ ??

ପ୍ରେମ ଏବେ ଘୋଷିତ ପଳାତକ ।


(୬)

କିଛି ମଣିଷ ଏମିତି ହିଁ

ଖୋଜନ୍ତି ପ୍ରିୟ ଜନ

ତମାମ୍ ଜୀବନ,

ନିକୋଟିନ ଧୂଆଁ ଧୁଆ କୋଠରୀରେ

ନିଖୋଜ ସାରା ରାତି

ଆବଦ୍ଧ ନିର୍ବାସନ ରେ ଲୁହ ଆଉ କୋହ

ସକାଳେ ନୂଆ ମୁହଁ ଆଉ ମିଛ ହସ

ସେ କି ବୁଝେ ???

ତଥାପି ଅବୁଝା ସେ,

ସେ ବୁଝେ ନା,

କିଏ ପ୍ରିୟଜନ ,

କିଏ ପ୍ରିୟତମ

କିଏ ପ୍ରୟୋଜନ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract