ଓଡ଼ିଆ ଜାତିର ଲଢୁଆ ବୀର-07: କୃତ୍ତିବାସ ପାଟଶାଣୀ
ଓଡ଼ିଆ ଜାତିର ଲଢୁଆ ବୀର-07: କୃତ୍ତିବାସ ପାଟଶାଣୀ
ଫିରିଙ୍ଗି ଶାସନ ପୁଲିସ ଜୁଲୁମ ଚାଲିଥାଏ ଓଡ଼ିଶାରେ,
ବାଣପୁର ରାଜା ଘୋଷଣା କରିଲେ-ସ୍ଵାଧୀନ ହେଲୁ ଆମେରେ |
ସ୍ଵାଧୀନତା ପାଇଁ ଜୀବନ ଦେବାକୁ ପାଇକ ମତେଇ ଆଣି,
ସେନାପତି ହେଲେ ଅରାଙ୍ଗଗଡ଼ର କୃତ୍ତିବାସ ପାଟଶାଣୀ |
ବାଣପୁର ଥାନା ଆକ୍ରମଣ କରି ତା’ପରେ ଚାଲିଲେ ଟାଙ୍ଗୀ,
ଧରାପଡ଼ି ପଞ୍ଚୁ ଫାଶିରେ ଝୁଲିଲେ ପାଇକର ବଳଭାଙ୍ଗି |
ପାଟଶାଣୀ ବୀର ଜଙ୍ଗଲରେ ଥାଇ ବିଦ୍ରୋହ ରଖିଲେ ତେଜି,
ଇଂରେଜ ଶାସକ ହେଲେ ହରବର କୃତ୍ତିବାସ ନାମ ଭଜି |
ବିଦ୍ରୋହୀଙ୍କୁ ଧରି ନିଅ ପୁରସ୍କାର ଯାଚିଦେଲେ ସରକାର,
ପାଟଶାଣୀଙ୍କର କପଟୀ ଶ୍ଵଶୁର ନେଲେ ସେହି ପୁରସ୍କାର |
ଗଲେ କଳାପାଣି ବୀର ପାଟଶାଣୀ ସପନ ରହିଲା ଅଧା,
କାରାଗାରେ ଥାଇ ହେଲେ ଲୋକପ୍ରିୟ ଦେଖାଇ ନିଜର ବିଦ୍ୟା |
ଦ୍ଵୀପର ଶାସକ କର୍ଜ୍ଜନ ବାଇଲ ଲୋଡ଼ିଲେ ତାଙ୍କର ମନ୍ତ୍ର,
ତା’ର ପ୍ରତିଦାନେ ମୁକ୍ତି କରିବାକୁ ବାହାର କରିଲେ ସୂତ୍ର |
ସାହେବ କହିଲେ-ମାଗିନିଅ ଯାହା ମୁକ୍ତି କିବା ଧନ-ମାନ,
ମାଗିଦେଲେ ବୀର ଶ୍ଵଶୁରଙ୍କ ମୁଣ୍ଡ ଯିଏ ଥିଲା ବେଇମାନ |
ଆଉ ଯଦି ହେବ ଭୂମିଖଣ୍ଡେ ଦିଅ ନଥିବ ଇଂରେଜ ଭୟ,
କରୁଥିବି ସଦା ଜନ୍ମଭୂମି ପୂଜା ଗାଇ ଜନନୀର ଜୟ |
ନରେନ୍ଦ୍ର ସିଂହର କଟାମୁଣ୍ଡ ଦେବା ଏ’ତ ଅସମ୍ଭବ କଥା,
ବାଇଲ ସାହେବ ହାର ମାନିଗଲେ ନୂଆଇଁ ନିଜର ମଥା |
