ଗଡ଼ିଲାଣି ମୋର ଲାଳ
ଗଡ଼ିଲାଣି ମୋର ଲାଳ
ଭଲକି ଧରିଥା' ଟେକିକି ଲିପୁକୁ
ହେଇ ନଗୀ ପାଇଗଲା,
ଏଥରକ ଆମ୍ବ ନିଶ୍ଚୟ ଝଡ଼ିବ
ଲୁଣ, ଲଙ୍କା କେଣେ ଗଲା ।
ମୋହରି ପାଖରେ ଥିଲା;
ଲୁଚେଇକି ପରା ରଗଡ଼ି ଆଣିଛି
ଜେଜୀ ମୋ ପଚାରୁଥିଲା ।
'ହଇ ରେ ଟୋକା ତୁ କଅଣ ନେଉଛୁ
କାଗଜ ପୁଡ଼ିଆ କରି,
କହିଲେ ତୋ ବୋଉ ପିଠି କୋରି ଦେବ
ଛାଡ଼ିଯିବ ଚୋରି ଗିରି ।'
କହିଲି ମୁଁ ଆଖି ଠାରି;
"ପାଟି କରନା ମୋ ସୁନା ଜେଜୀ ମାଆ
ଲଙ୍କା ଲୁଣ ନିଏ ଚୁରି ।
ଇସ୍କୁଲ ବାଟର ପୋଖରୀ କଡ଼ରେ
ଫଳି ଝୁଲୁଅଛି ଆମ୍ବ,
ସେ ଗଛରୁ ଝାଡ଼ି ଖାଇବୁ ଭାବିଛୁ
ଆମେ କେତେଜଣ ସାଙ୍ଗ ।"
ସେଇଠୁ ସେ ତୁନି ହେଲା;
ଟମି ବି କେମିତି ଚାହିଁଛି ସିଆଡ଼େ
ପାଟିଟାକୁ କରି ଖୋଲା ।
ଖାଇ ଖାଇ ଯିବା ମିଶିକି ତିନିହେଁ
ଗଡ଼ିଲାଣି ମୋର ଲାଳ,
ବହିଟାଏ କାଢ଼ି ବିଞ୍ଚିହେବା ଟିକେ
ଶୁଖିଯିବ ମୁହଁ ଝାଳ ।
ଧରିଥିବା ଗୋଟା କେତେ,
ଆଉ କେ ମାଗିଲେ ମନା କରିବାନି
ଯାଚି ଦେବା ତା'ର ହାତେ ।
ପଡ଼ିଗଲେ ଦେହ ଖଣ୍ଡିଆ ହୋଇବ
ଘର ଲୋକ ଦେବେ ଗାଳି,
କଥା ଖୋଳୁ ଖୋଳୁ ଜଣା ପଡ଼ି ନିଶ୍ଚେ
ପଡ଼ିବ ସଭିଙ୍କ ପାଳି ।
ସାବଧାନ ତେଣୁ ହୋଇ;
ଆମ୍ବକୁ ଝାଡ଼ିକି ଖାଇବା ଆମେରେ
ଟମିକୁ ବି ମନାନାଇଁ !
