ଗୋଲ ଗୋଲ ଗୋଲକଧନ୍ଦା
ଗୋଲ ଗୋଲ ଗୋଲକଧନ୍ଦା
କବିତା - ଗୋଲ ଗୋଲ ଗୋଲକଧନ୍ଦା
ରଚନା - ପଞ୍ଚାନନ ଜେନା
ତାରିଖ -୦୫-୦୧-୨୦୨୫
+++++++++++++++++
ବ୍ୟସ୍ତ ସମୟର ନିରୋଳା ପ୍ରହରେ
ସହରର ଗହଗହ ଭିଡ ଭିତରେ
ମନେ ମନେ ଖୋଜୁଥାଏ
ଗୁରୁଜୀ ପ୍ରଭୁଜୀ ଗୁରୁଜନମାନଙ୍କ ଚିନ୍ତାକଳ୍ପ
ମନେ ମନେ ଭାବୁଥାଏ ହେଜୁଥାଏ
ମହାମନିଷୀମାନଙ୍କ ଗୁରୁମନ୍ତ୍ରରେ ଥିବା ଗଳ୍ପସ୍ଵଳ୍ପ
ଖୁସି ବିକୁଥିବାର ଦୋକାନ
ମିଳନ୍ତା କି ?
ଦୁଃଖ କିଣୁଥିବାର ଗରାଖ
ସହିତ ଭେଟ ହୁଅନ୍ତା କି ?
ହସର ମନୋହାରୀ ମଲ୍
ଆଖିରେ ପଡନ୍ତା କି ?
ଭୋକ ଶୋଷ ସମାପ୍ତ ମଲମ ଆଗେ କିଣନ୍ତି
ଶନ୍ତି ପ୍ରଶାନ୍ତି ବର୍ଦ୍ଧକ ଚ୍ୟବନପ୍ରାସ କିଣି ଖାଆନ୍ତି
ଆଜି ପଢିଲି ଗୀତା ରହସ୍ୟ
ଭୁବନେଶ୍ୱର ଷ୍ଟେସନ
ହୁଇଲାର୍ ବହି ଦୋକାନରେ
ମୁଣ୍ଡଟା ଟିଣ ବାକ୍ସ ପରି ହେଲା ଟାଣ
ମୁଣ୍ଡ ତଳେ ଥିବା ଖପୁରୀଟା ହାଲୁକା ଝଣ ଝଣ
" ସୁଖ ହିଁ ଭିଆଣ ମୋର
ଦୁଃଖ ହିଁ କାରଣ ମୋର
ମୋର ମୋର ବୋଲି କାହିଁ ହେଉ ତୁ ତରତର ?"
ସତେ ଯେମିତି
ଅର୍ଦ୍ଧ ଶତାବ୍ଦୀ ତଳର
ମହଣ ମହଣ ଓଜନିଆ
ବୋଝଟା ଓହ୍ଲେଇ ଗଲା
ଅନ୍ଧବିଶ୍ୱାସର ଅଳନ୍ଧୁ
ନିର୍ମୁଳି ଲତା ପରି ଛନ୍ଦା ଛନ୍ଧି ସବୁ ଛିଡି ଗଲା
ମିଛ କୁହୁଡି ପହଁରା
ଅନୁଭବର କଷଟି ପଥର
ବାଟ ଓଗାଳୁ ଓଗାଳୁ ଆଢ଼େଇଗଲା
ବିଶାଳ ଗ୍ଲାସିୟର ତରଳି ଝରି ଗଲା
ଯାହା ହେଉ ଗୋଟେ ବଡ଼ ଝାମେଲା ତୁଟିଲା
ଯାହା ବି ହେଉ ମସ୍ତବଡ଼ ସମସ୍ୟାର ସମାଧାନ ହେଲା
ମଣିଷ ପରା ଇଛା ସୁତୁଲିରେ ବନ୍ଧା
ଗୃହପାଳିତ ଚଢ଼େଇ ପରି ପିଞ୍ଜରାବଦ୍ଧ
ସ୍ଵଳ୍ପ ପରିଧିରେ କେବଳ ଖେଳିବୁଲୁ ଥାଏ
ଡେଉଁଥାଏ ଉପର ତଳ ଜୀବିତ ଧନ୍ଦା
ଅସୁମାରି ଆଶାରେ ଆଗୁସାର
ଅନନ୍ତ ଆକାଂକ୍ଷାରେ ଆଗଭର
ଆଉ ବେଳେ ବେଳେ ସେହି ପଥରେ
ଆଗଭ ଆଗଉ ଝୁଣ୍ଟିପଡେ ବାଟହୁଡ଼େ ଥରକୁ ଥର
ଆଜି ବୁଝିଗଲି
ଦୋକାନ -ମଲମ -ଗରାଖ -ବେପାରୀ
ସବୁ
ନଛୋଡ଼ବନ୍ଧା ଗୋଲ ଗୋଲ ଗୋଲକଧନ୍ଦା
