ଧରି ଆଣ ସେଇ ବର୍ଷାକୁ
ଧରି ଆଣ ସେଇ ବର୍ଷାକୁ
ଝର ଝର ହୋଇ ବହୁଛି ଝରଣା
ସତେ ଷୋଡ଼ଶୀର ରୁପକୁ ନେଇ
କଳ କଳ ନାଦ କରେ ନଦୀ ହ୍ରଦ
ଉଛୁଳା ପୀରତି ଦେହରେ ବହି ll
ଘଡ଼ ଘଡ଼ କରି ଭାସୁଛି ବଉଦ
ସତେ କି ପ୍ରଣୟେ ଯାଇଛି ମାତି
ଧଡ଼ ଧଡ଼ ହୋଇ ପ୍ରକମ୍ପିତ ହୁଏ
ବଢ଼ି ଯାଏ ହିଆ କମ୍ପନ ଗତି ll
ଟୁପ୍ ଟୁପ୍ ହୋଇ ଓଳିରୁ ପଡୁଛି
ପ୍ରେମ କବିତାର ହୋଇ ସେ ଶବ୍ଦ
ଚୁପ ଚୁପ ଆସି ଧରଣୀ ଦେହରେ
ପ୍ରଣୟ ରଚୁଛି ଭୁଲି ସେ ହଦ ll
ସର ସର ବହି ଶୀତଳ ସମୀର
ରଚି ଦେଇ ଯାଏ ପ୍ରୀତିର ସୁଖ
ତର ତର ହୋଇ ଫେରିଯାଏ କାହିଁ
ମନ ତଳେ ଦେଇ ଅନେକ ଦୁଃଖ ll
ଥର ଥର ହୋଇ ଥରାଇ ଦେହକୁ
ନାଚଇ ମୟୂର ଦେଖି ତା' ରୂପ
ଖର ଖର ହୋଇ ଖସି ଚାଲିଗଲେ
ଆଦ୍ୟ ଆଷାଢ଼ର ଲାଗଇ ଗପ ll
ଚଡ ଚଡ଼ ହୋଇ ମାତୁଛି ଚପଳା
ଚଗଲି ଝିଅର ଚାହାଣୀ ଧରି
ଜଡ଼ ସଡ଼ ହୁଏ ଧରଣୀ ତା କୋଳେ
ଉନ୍ମାଦନା ଭରା କାହାଣୀ ପରି ll
ଫର ଫର ଉଡେ ସବୁଜ ପଣତ
ଯା ଲାଗି ପାଗଳ ଧରଣୀ ପ୍ରାଣ
ଧର ଧର ସେଇ ବରଷା ରାଣୀକୁ
ହାତ ଧରି ତା'ର ମୋ' ପାଶେ ଆଣ ll