STORYMIRROR

Giridhari Sahu

Drama Inspirational

3  

Giridhari Sahu

Drama Inspirational

ମାଆ

ମାଆ

1 min
256

ଦଶହରା ଭଳି ପୂଜା ପରବରେ 

ଆଗ ପରି ଆଉ ନଥିଲା ଭିଡ଼ 

ମନରେ ନଥିଲା ସେ ସୁଖ ସରାଗ 

ଅବା ଘରଟାରେ ଖୁସିର ଝଡ଼ ll


କାକରା ପିଠାର ଚେଁଏ ଶବଦ ବା 

ଘିଅ କଡେଇରେ ନଥିଲା ଧୂଆଁ 

ପୁରୁଣା ଲୁଗାରେ ଅଟକି ରହିଲା 

ଦେଖିଲାନି ଆଖି ମୂଳରୁ ନୁଆଁ ll


ତୋର ପୂଜା ଲାଗି ଫଳ ଫୁଲ ମାଆ 

ଆଣିପାରିଲିନି କିଣି ହାଟରୁ 

ଅଭିମାନ ଆଉ କରିବୁନି କହ 

ଫେରିଗଲି ବୋଲି ଅଧା ବାଟରୁ ll


ତୋ' ପରି ମାଆଟେ ଘର କଣେ ବସି 

ଖୁଁ ଖୁଁ ହୋଇ କାଶୁଛି କେତେ 

ହେତୁ କରି ପୁଅ ଆଣିବୁ ଓଷଦ 

କହିଥିଲା ପରା କାନରେ ମୋତେ ll


ବାପା ଗଲାପରେ ଝୁରି ଝୁରି ତାଙ୍କୁ 

ଦେହଟା ତାହାର ହେଲାଣି କ୍ଷୀଣ 

ମୋର ମୁହେଁ ଟିକେ ହସ ଦେଖିବାକୁ 

ଈଶ୍ୱରଙ୍କୁ ମଧ୍ୟ ଦେଉଛି ରାଣ ll


ଜରୁରୀ ବୋଲି ମୁଁ ଭାବିଲି ମାଆଲୋ 

ତୋ'ର ପୂଜା ଠାରୁ ତା'ର ଓଷଦ 

ସେ ପାଇଁ ଫେରିଲି ଔଷଧ ଧରି ମୁଁ 

ମନରେ ନରଖି କିଛି ବିଷାଦ ll


ସୁସ୍ଥ ହେବା ପରେ ସୋଇପଡ଼ିଥିଲି 

ତା'ରି କୋଳରେ ମୁଣ୍ଡ ମୋ' ରଖି 

ନିଦ ଯେବେ ମୋର ଭାଙ୍ଗିଗଲା ମାଆ 

ଚମକି ଗଲି ମୁଁ ତୋ' କୋଳ ଦେଖି ll


ସତରେ ମାଆଲୋ ତୋର ସୁଦୟାରୁ 

ଦୂର ହେଉ ଯେତେ ସଂସାର ଦୁଃଖ 

ସାହା ଭରସା ମୋ କେହି ନାହିଁ ଏଠି 

ସଦା ଦେଖୁଥିବି ମାଆର ମୁଖ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama