ଚିର ବନ୍ଦିତା ଦେବୀ ସ୍କନ୍ଧମାତା
ଚିର ବନ୍ଦିତା ଦେବୀ ସ୍କନ୍ଧମାତା
ଆଦିମାତା ଦୁର୍ଗା ଆବାହନେ ଉଭା
ହୁଅନ୍ତି ମହୀମଣ୍ଡଳେ,
ଜଗତ କଲ୍ୟାଣେ ଦିଅନ୍ତି ଆଶିଷ
ସୁଖେ ରୁହନ୍ତି ସକଳେ।
ପାର୍ବଣ ପୂଜାର ଶୁଭ ଅବସରେ
ହୁଏ ନବରାତ୍ର ପୂଜା,
ଭିନ୍ନ ଭିନ୍ନ ବେଶେ ଅବତରୀ ମର୍ତ୍ତ୍ବେ
ଆସନ୍ତି ମା' ଦଶଭୁଜା।
ପଞ୍ଚମ ଦିବସେ ସ୍କନ୍ଧମାତା ରୂପେ
ହୁଅନ୍ତି ବିରାଜମାନା,
ଶ୍ରଦ୍ଧାଳୁ ଭକତ କରିଲେ ଗୁହାରି
ଆରତ କରନ୍ତି ଘେନା।
କାର୍ତ୍ତିକେୟଙ୍କର ଅନ୍ୟ ନାମ ସ୍କନ୍ଧ
ହେବାରୁ ସେ ସ୍କନ୍ଧମାତା,
ଜଗତ ଜନନୀ ଶକ୍ତି ସ୍ଵରୂପିଣୀ
ହିମାଦ୍ରି ମେନକା ସୁତା।
ଅଗ୍ନି ମଣ୍ଡଳରେ ସ୍କନ୍ଧମାତା ରହି
ତ୍ରିଭୁଜେ ଧରନ୍ତି କୋଳେ,
ଅତି ଆହ୍ଲାଦରେ ଖେଳୁଥାନ୍ତି ସ୍କନ୍ଧ
ମାତାଙ୍କ ସେନେହ ଭୋଳେ।
ତାଙ୍କ ଉପାସନା କଲେ ଶୁଦ୍ଧ ମନେ
ସୁଖ ହୁଏ ପରିପୂର୍ଣ୍ଣ ,
ମାତା ମୋକ୍ଷ ଦ୍ବାର ଉନ୍ମୁକ୍ତକାରିଣୀ
ରକ୍ଷା କରନ୍ତି ଜୀବନ।
ସୁବୁଜ ରଙ୍ଗର ଶାଢ଼ୀ ଚୁଡ଼ି ଅର୍ପି
ମାତାଙ୍କୁ କରୁ ମିନତି,
ହଳଦିଆ ଫୁଲେ ପୁଷ୍ପାଞ୍ଜଳି ଦେଇ
କରୁ ମଙ୍ଗଳ ଆରତୀ।
ମାତା ଦୟାମୟୀ କରୁଣା କରନ୍ତି
ସନ୍ତାନର ଅଳି ଶୁଣି,
ଭକ୍ତି ଭାବ ରଖି କଲେ ତାଙ୍କୁ ପୂଜା
ଦୂଃଖରୁ ତରଇ ପ୍ରାଣୀ।
ଚିର ବନ୍ଦନୀୟା ଦେବୀ ସ୍କନ୍ଧମାତା
ଜଗତେ ସାହା ଭରସା,
ତାଙ୍କୁ କଲେ ଆଶ୍ରା ମିଳେ ପୁଣ୍ୟଫଳ
ପୂରଣ ହୁଅଇ ଆଶା।
ମାତାଙ୍କ ଚରଣେ କୋଟିଏ ପ୍ରଣାମ
କରୁଅଛି ହସ୍ତ ଯୋଡ଼ି,
ସଂସାରର ଦୁଃଖ ଦିଅନ୍ତୁ ଦୂରେଇ
କୃପା ତାଙ୍କର ଅଜାଡ଼ି।