STORYMIRROR

Kabiratna Nutan Kumar Behera

Drama Action Inspirational

3  

Kabiratna Nutan Kumar Behera

Drama Action Inspirational

ତୁମେ ଭାବଗ୍ରାହୀ ଭାବର ବାରିଧି

ତୁମେ ଭାବଗ୍ରାହୀ ଭାବର ବାରିଧି

1 min
195


    

ତୁମେ ଭାବଗ୍ରାହୀ ଭାବର ବାରିଧି, 

       ମନ ନିଅ ମୋହି ଅଶୁଭକୁ ରୋଧି।

ତୁମେ ମହୋଦଧି ତୁମେ ବାଞ୍ଛାନିଧି,

        ତୁମେ ମହୌଷଧି ଜୀବର ଅବଧି।

ତୁମ ଲାଗି ସ୍ଥିତି ତୁମ ଲାଗି ଗତି,

       ତୁମେ ହିଁ ଶକତି ତୁମେ ହିଁ ଭକତି।

କରିଛ ଏ ସୃଷ୍ଟି ଦେଇଛ ତ ଦୃଷ୍ଟି,

        ଏକ ବ୍ରହ୍ମେ ବ୍ୟଷ୍ଟି ଭବର ସମଷ୍ଟି।

ତୁମେ ଚିରନ୍ତନ ସତ୍ୟ ସନାତନ,

      ତୁମେ ଅର୍ବାଚୀନ ତୁମେ ହିଁ ପ୍ରାଚୀନ।

ତୁମେ ହିଁ ତ୍ରିକାଳ ଜଗତକୁ ପାଳ,

      ତୁମେ ବୃକ୍ଷ ମୂଳ ଶାଖା ରୂପେ ଡ଼ାଳ।

ମିଛ ମୋହ ମାୟା ଗ୍ରାସୀ ଯାଏ କାୟା,

    ତୁମେ କଲେ ଦୟା ମିଳେ କୃପା ଛାୟା।

ଧରି ଭାଗ୍ୟ ଡୋରି ନେଉଛ ଓଟାରି,

        କରୁଛି ଗୁହାରି ରଖ ହେ ସୁଧାରି।

ସଂକଟେ ଜୀବନ ହୁଏ ଉଚ୍ଚାଟନ,

       ରଖ ତୁମେ ମାନ କରି ସମାଧାନ।

ଯୁଗେ ଯୁଗେ ତୁମେ ସତ୍ୟ ନ୍ୟାୟ ଧର୍ମେ,  

     ଯଶ ରଖ ନାମେ ପୁଣ୍ୟ ଧରାଧାମେ।

ଧ୍ରୁବ ପ୍ରହଲ୍ଲାଦ ପାଇ ଭକ୍ତି ସ୍ଵାଦ,

      ଭୁଲିଲେ ବିଷାଦ ଲଭିଲେ ଆନନ୍ଦ।

ଭକତ ବିଦୁର ଅଜ୍ଞାନ ଧୀବର,

      ସ୍ତୁତିରେ ତୁମର ହୋଇଲେ ନିଜର।

ହନୁମାନ ବୀର ସାଥୀରେ ବାନର,

       ପାଇଲେ ତୁମର ସାନ୍ନିଧ୍ୟ ଅପାର।

ଶବରୀ ଅନ୍ତର ବୁଝି ରଘୁବୀର

      ହୋଇ ନିର୍ବିକାର କଲ ଫଳାହାର।

ପଥରେ ପଥର ଦେହରେ ପୟର,

      ବାଜିଲା ତୁମର ହେଲା ଚମତ୍କାର।

କୃପା କରି ହରି ଅହଲ୍ୟା ଉଦ୍ଧାରି,

     ତାରି ସତୀ ନାରୀ ବଢ଼ାଇଲ ଶିରୀ।

କୋଟି ବସ୍ତ୍ର ଦାନ କରି ଆର୍ତ୍ତତ୍ରାଣ

       ପାଞ୍ଚାଳୀର ମାନ ରଖିଲ ଅକ୍ଷୁର୍ଣ୍ଣ।

ସଂଖ୍ୟାରେ ଗଣନା କରି ତ ହୁଏନା,

       ତୁମର କରୁଣା ହୁଏ ନାହିଁ ଊଣା।

ପ୍ରଭୁ ଜଗଦୀଶ ମହିମା ଅଶେଷ,

       ମିଳଇ ଆଶିଷ ରଖିଲେ ବିଶ୍ବାସ।

ଭାବେ ଥାଇ ବନ୍ଧା ଘୁଞ୍ଚାଅ ଯେ ବାଧା,

      ଝରେ ପ୍ରେମ ସୁଧା ହସଇ ବସୁଧା।

ତୁମ ଭାବେ ରହି ଥିଲେ ଭକ୍ତ କେହି,

     ତା' ଦୁଃଖ ନ ସହି କର ତାକୁ ତ୍ରାହି।

ତୁମ ପାଦେ ଲୟ ରଖି ଦୟାମୟ,

      ହେଉଛି ବିନୟ ଦିଅ ହେ ଅଭୟ।

      







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama