ଭକ୍ତିର ବଳେ ଅକାଳେ ଆସନ୍ତି ମା'
ଭକ୍ତିର ବଳେ ଅକାଳେ ଆସନ୍ତି ମା'
ଶାସ୍ତ୍ରୀୟ ମତେ ବିଧି ପରମ୍ପରା
ଭାରତୀୟ ସଂସ୍କୃତିରେ ନିଆରା,
ହସି ହସାଇବାକୁ ଏଇ ଧରା,
ପାଳଇ ମାନବ ଜୀବନ ସାରା ସେ,
ନୀତି ନିୟମେ ଧରମ ଯେ,
ହୃଦେ ଭକ୍ତିଭାବ କଲେ ଅନୁଭବ
ସାହା ହୁଅନ୍ତି ପରମ ଯେ।
ଚକ୍ରବର୍ତ୍ତୀ ରାଜା ଥିଲେ ସୁରଥ
ଷଡ଼ଯନ୍ତ୍ରେ ହେଲେ ସିଏ ଅନାଥ,
ମହର୍ଷି ମେଧାଙ୍କ ଶରଣ ରହି
ଉପାୟ କଲେ ପାଇବାକୁ ତ୍ରାହି ସେ,
ଋଷିଙ୍କ ଆଜ୍ଞାରେ ପୂଜି ଯେ,
ମାତା ହୃଦ ତୋଷି ପାଇଲେ ଆଶିଷ
ରହିଲେ ପୁଣ୍ୟ ଅରଜି ଯେ।
ବସନ୍ତେ ବାସନ୍ତୀ ମା' ଦୁର୍ଗା ଦେବୀ
ଭକତ ପାଏ ମୋକ୍ଷ ତାଙ୍କୁ ସେବି,
ସତ୍ୟ ଅମ୍ଵେ ଅମ୍ବିକା ହୋଇ ସାହା
ପ୍ରଦାନେ ପୂରଣ କରନ୍ତି ତାହା ସେ,
ତାଙ୍କ କରୁଣା ଅଶେଷ ଯେ,
ମାତା କୃପାମୟୀ ମାତା ଦୟାମୟୀ
ଶ୍ରଦ୍ଧାଳୁ ରଖେ ବିଶ୍ଵାସ ଯେ।
ସୀତା ହରଣେ ରାବଣର ନିଧନେ
ଶ୍ରୀରାମ ଚିନ୍ତିଲେ ବ୍ୟଥିତ ମନେ,
ଅକାଳେ ଅମ୍ବିକା କର ଗୋ ଦୟା
ଘୁଞ୍ଚାଇ ଦିଅ ମା' ରାକ୍ଷସ ମାୟା ସେ,
ଶହେ ଆଠ ପଦ୍ମ ଫୁଲେ ଯେ,
ପୂଜୁ ପୂଜୁ ଏକ ଅଭାବେ ବାଧକ
ପ୍ରଭୁ ବିଚଳିତ ହେଲେ ଯେ।
ପଦ୍ମ ବିହୁନେ ନୟନ କମଳ
ଅର୍ପିବାକୁ ରାମ ଚଳ ଚଞ୍ଚଳ,
ଉଭା ହେଲେ ଦେବୀ ଚାହିଁ କୁଶଳ
ତାଙ୍କ ଦର୍ଶନେ ଭାବ ବିହ୍ଵଳ ସେ,
ମାତା ଦେଲେ ଆଶୀର୍ବାଦ ଯେ,
ପାଇ ବରଦାନ ରାମ କରି ରଣ
ଦୂର କଲେ ଅବସାଦ ଯେ।
ଅକାଳେ ନିଧନ ହେଲା ରାବଣ
ବିଜୟା ଦଶମୀ କଲେ ପାଳନ,
ସୀତାଙ୍କୁ ଉଦ୍ଧାରି ରଖିଲେ ଯଶ
ଅକାଳେ ଅମ୍ବିକା ଦେଲେ ଆଶିଷ ସେ,
ଜଗତେ ରଚିଲେ କୀର୍ତ୍ତି ଯେ
ଶାରଦୀୟ କାଳେ ଏ ଶୁଭ ବେଳେ
ଭକତ ଢ଼ାଳେ ପ୍ରଣତି ଯେ।
ସେଇ ପରମ୍ପରା ସତତ ପାଳି
ମାତାଙ୍କୁ ବିନୟେ କରଇ ଅଳି,
ଆସିଲେ ଆଶ୍ଵିନ ସେ କଥା ଭାଳି
ଶ୍ରଦ୍ଧାଳୁ ଭକତ ଭକତି ଢ଼ାଳି ସେ,
କରେ ନବରାତ୍ର ପୂଜା ଯେ,
ପବିତ୍ର ହୃଦୟ ପାଏ ବରାଭୟ
ଆସନ୍ତି ମା' ଦଶଭୁଜା ଯେ।