STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଅଭୟ ବର ଦାୟିନୀ ମା' କାତ୍ୟାୟନୀ

ଅଭୟ ବର ଦାୟିନୀ ମା' କାତ୍ୟାୟନୀ

1 min
131


ନବରାତ୍ର ପୂଜା ଶୁଭ ବେଳାରେ

ମାଆ ନବଦୁର୍ଗା ନବ ବେଶରେ,

ମର୍ତ୍ତ୍ଵେ ଅବତରୀ ଆସନ୍ତି ହର୍ଷେ 

ଭକ୍ତଜନ ତରେ ତାଙ୍କ ଆଶିଷେ,

ଦେବୀ ଦୟାମୟୀ

କରୁଣା କରନ୍ତି ସନ୍ତୁଷ୍ଟ ହୋଇ।


କାତ୍ୟାୟନୀ ବେଶ ଷଷ୍ଠ ଦିବସେ 

ହୋଇ ପୂଜା ପା'ନ୍ତି ଶ୍ରଦ୍ଧାଳୁ ପାଶେ,

ଋଷି କାତ୍ୟାୟନ ତପସ୍ୟା ବଳେ

ମାତା ଜନ୍ମିଥିଲେ ତାଙ୍କରି କୋଳେ,

ତାଙ୍କ ନାମ ମେଳେ 

କତ୍ୟାୟନୀ ହେଲେ ମହୀମଣ୍ଡଳେ।


ଶ୍ରୀକୃଷ୍ଣଙ୍କୁ ବରେ ପାଇବା ପାଇଁ

ବ୍ରଜେ ଗୋପନାରୀ ଥିଲେ ଅନାଇଁ,

ଚାହିଁଥିଲେ ସର୍ବେ କରିବେ ପତି

ମା' କାତ୍ୟାୟନୀଙ୍କୁ କରି ମିନତୀ 

ବ୍ରଜେ ଅଧିଷ୍ଠାତ୍ରୀ

ମାତା ରୂପେ ଦେବୀ ଯେ ଜଗଦ୍ଧାତ୍ରୀ।


ଦେବୀ କତ୍ୟାୟନୀ ସିଂହବାହିନୀ

ବ୍ରହ୍ମାଣ୍ଡେ ଅଭୟ ବର ଦାୟିନୀ,

ହସ୍ତେ ପଦ୍ମ ଖଣ୍ଡା ଆଶିଷ ମୁଦ୍ରା

ସନ୍ତାନର ଲାଗି ହୁଅନ୍ତି ସାହା,

ମାତା ଚତୁର୍ଭୁଜା

ରୂପରେ ପାଆନ୍ତି ଜଗତେ ପୂଜା।


ଆଜ୍ଞା ଚକ୍ରେ ଧ୍ୟାୟୀ ମିଳଇ ଶକ୍ତି

ଇନ୍ଦ୍ରିୟ ସଂଯମେ ହୁଅଇ ମୁକ୍ତି,

ସମୃଦ୍ଧି ପ୍ରାପ୍ତିର ଲଭଇ ବର 

ବାଧା ବିଘ୍ନ ସବୁ ହୁଅଇ ଦୂର,

ଦେବୀ ଭଗବତୀ

ଶୁଣନ୍ତି ଗୁହାରି କଲେ ମିନତି।


ନବରାତ୍ରେ ମାଆ ନଅ ସ୍ବରୂପେ 

ପାଇଥାନ୍ତି ପୂଜା ହୃଦୟ କଳ୍ପେ,

ଭକ୍ତିଭାବ ରଖି ପବିତ୍ର ମନେ

ଭକ୍ତ ତରି ଯାଏ ତାର ଜୀବନେ,

ମା' ପାଦେ ପ୍ରଣାମ

ମଧୁମୟ ହେଉ ଏ ଧରାଧାମ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract