STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଗର୍ବଗଞ୍ଜନ ଗିରିଧାରୀ

ଗର୍ବଗଞ୍ଜନ ଗିରିଧାରୀ

1 min
21


ପ୍ରଭୁ ଗର୍ବଗଞ୍ଜନ ଗିରିଧାରୀ 

ସୃଷ୍ଟିକୁ ରଖନ୍ତି ଦୁଷ୍ଟ ସଂହାରି,

ସାଧୁ ସନ୍ଥ ଜନଙ୍କ ରକ୍ଷାକାରୀ

ବିପଦ କାଳେ ଶୁଣନ୍ତି ଗୁହାରି ସେ,

ଆର୍ତ୍ତତ୍ରାଣ କୃପାସିନ୍ଧୁ ଯେ

ଭାବକୁ ନିକଟ ଅଭାବେ ସଂକଟ

ଦୀନ ଅକିଞ୍ଚନର ବନ୍ଧୁ ଯେ।


ଇଚ୍ଛାରେ ନେଇ ଦଶ ଅବତାର

ଉଦ୍ଧାରି ଧରିଛନ୍ତି ଏ ସଂସାର,

ନାଶି ଦୁର୍ଜନ ଦୁର୍ଦ୍ଦାନ୍ତ ଅସୁର

ଦୈତ୍ୟାରି ନାମରେ କରୁଣାକର ସେ,

ଗର୍ବ କରିଥାନ୍ତି ଖର୍ବ ଯେ

ଧରମେ ବିକାଶ ଅଧରମେ ଧ୍ଵଂସ

ହୁଏ ଯଶ ଖ୍ୟାତି ସର୍ବ ଯେ।


ସତ୍ୟଯୁଗେ ଅତିଦାନୀ ବଳୀକୁ

ମାଗି ଦାନ ତିନି ପାଦ ଭୂମିକୁ,

ନଦେଇ ଦେଖାଇବାରୁ ମଥାକୁ 

ଗର୍ବ ଲାଗି ଚାପିଲେ ପାତାଳକୁ ସେ,

ହିରଣ୍ୟକଶିପୁ ଦୈତ୍ୟ ଯେ

ହେଲା ଅହଂକାରୀ ନାଶିଲେ ବିଦାରି

ଭବରେ ରଖିଲେ ସତ୍ୟ ଯେ।


ଦ୍ଵାପର ଯୁଗେ କୋପ କରି ଇନ୍ଦ୍ର

ବରଷିବାରୁ ଅତି ଦିବାରାତ୍ର,

ଟେକି ଧରିଲେ ଗୋବର୍ଦ୍ଧନ ଗିରି

ଗୋପକୁ ଉଦ୍ଧାରିଲେ ଗିରିଧାରୀ ସେ,

ଇନ୍ଦ୍ର ରହିଲେ ଶରଣେ ଯେ

ମଥା କରି ନତ ହେଲେ ଅନୁତପ୍ତ

ପ୍ରଭୁ ଶ୍ରୀକୃଷ୍ଣ ଚରଣେ ଯେ।


କଂସ ରାବଣ ମାନୀ ଦୁର୍ଯ୍ୟୋଧନ

ଗର୍ବ କରିବାରୁ ହେଲେ ନିଧନ,

ତରିଲେ ଜଗତେ ଆରତ ଜନ

ଧର୍ମ ରକ୍ଷା କରି ରଖିଲେ ମାନ ସେ,

ଦୁଃଖିର ଦୂରାନ୍ତି ଦୁଃଖ ଯେ

ଅନାଥର ନାଥ ପ୍ରଭୁ ଜଗନ୍ନାଥ 

ସୁଖ ଦିଅନ୍ତି ଶ୍ରୀମୁଖ ଯେ।


ରହିନାହିଁ ଗର୍ବ କେବେ କାହାରି

ଲୋଭ ମୋହ ପାପ ନିଏ ଓଟାରି,

ହୋଇ ବି ପରାକ୍ରମୀ ଯାଏ ହାରି

ହରାଇ ସବୁ ହୁଏ ହତଶିରୀ ସେ,

ଗର୍ବ ନାଶନ୍ତି ଶ୍ରୀହରି ଯେ

ତାଙ୍କୁ ଆଶ୍ରା କରି ଭକ୍ତ ଯାଏ ତରି

ଆଶିଷ ପଡ଼ଇ ଝରି ଯେ।


ପ୍ରଭୁ ପାଦପଦ୍ମେ ରଖିଲେ ଲୟ,

ଶୁଦ୍ଧ ସ୍ଵଚ୍ଛ ରହେ ମନ ହୃଦୟ,

ଭକ୍ତିରେ ଧରା ହୁଏ ମଧୁମୟ

ଭାବେ ସଭିଙ୍କୁ ହୁଅନ୍ତି ସଦୟ ସେ,

ତାଙ୍କ ଚରଣେ ପ୍ରଣାମ ଯେ

ଗାଇ ତାଙ୍କ ଗୁଣ ବିତୁ ଏ ଜୀବନ 

ସେ ସ୍ଵୟଂ ମହାମହିମ ଯେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract