STORYMIRROR

Giridhari Sahu

Inspirational

4  

Giridhari Sahu

Inspirational

ଶ୍ୱଶୁର ବାପା

ଶ୍ୱଶୁର ବାପା

1 min
524


ପୁଅ ଚାଲିଗଲା ଯୁଦ୍ଧ କରୁ କରୁ

ଆତଙ୍କବାଦୀର ଗୁଳିରେ

ଅସରା ଲୁହକୁ ପୋଛି ପାରିଲିନି

ଶୁଖିଗଲା ପଡି ଧୂଳିରେ ।

ପୁଅର ମୁହଁରେ ନିଆଁ ଦେଇ ଅବା

କେଉଁ ବାପ ଧୈର୍ଯ୍ୟ ଧରିବ

ଲୁହ ବଦଳରେ ପଳ ପଳ ରକ୍ତ

ହୃଦୟରୁ ଖାଲି ଝରିବ ।

ନବ ବିବାହିତା ବୋହୂଟା ମୋ'ର

କାନ୍ଦୁଥିଲା ପିଟି ମୁଣ୍ଡକୁ

ତୁନି ତାକୁ ଜମା ପାରିଲିନି କରି

ଭିଡି ଧରି ତା'ର ତୁଣ୍ଡକୁ ।

ଆଶୀର୍ବାଦ ପରା କରିଥିଲ ବାପା

ହାତ କାଚ ହେବ ବଜର

କ୍ଷଣିକରେ ସବୁ ଜଳି ପୋଡିଗଲା

କାହାର ଲାଗିଲା ନଜର।

ଦେଖ ବାପା ଦେଖ କେମିତି ଲାଗୁଛି

ଏଇ ମୋ ନୁଖୁରା କପାଳ

କହିଥିଲେ ପୁଅ ନଫେରିବି ଯଦି

କାନ୍ଦିବୁନି ହୋଇ ହୋଇ ବିକଳ।

ବୋହୂକୁ କହିଲି ମନକୁ ତୁ ମାରି

କେତେ ଦିନ ଆଉ ରହିବୁ

ଏଇ ବୟସରେ ବୈଧବ୍ୟ ଯନ୍ତ୍ରଣା

କେମିତି ଅବା ତୁ ସହିବୁ ।

ଆସନ୍ତା ମାଘରେ ସୁପାତ୍ର ଦେଖି ମୁଁ

ବିବାହ ତୋ'ର କରିବି

କନ୍ୟା ଦାନ କରି କର୍ତ୍ତବ୍ୟ ସାରିଣ

ଶାନ୍ତିରେ ତୋ' ଆଗେ ମରିବି ।

ମୋ ଘରୁ ବିଦାୟ ନେବା ପରେ ଯେବେ

ପର ଘରେ ପାଦ ଥାପିବୁ

ଭୁଲିଯିବୁ ନାହିଁ ଏ ହତଭାଗାକୁ

କହ ବାପା ବୋଲି ଡାକିବୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational