ଚନ୍ଦ୍ରଭାଗା
ଚନ୍ଦ୍ରଭାଗା
ରୂପ ସାଗରର ଲାବଣ୍ଯବତୀ ସେ
ସରସୀର ନୀଳ କଇଁ
ସ୍ବଭାବେ ସୁ-ବର୍ଣ୍ଣ ଷୋଡଷୀ ରୂପସୀ
ସୌନ୍ଦର୍ଯ୍ୟ ଉପମା ନାହିଁ ।
ସାଗର ଅପ୍ ସରା ଗରଭରୁ ଜାତ
ଚନ୍ଦ୍ରଭାଗା ନାମ ତାର
"ସୁମନ୍ଯୁ"ତା ପିତା ପର୍ଶୁରାମ ଶିଷ୍ଯ
ସମାଧି-ଯୋଗେ ତତ୍ପର ।
ଅତି ଯତନରେ କନ୍ୟା କୁ ପାଳି ସେ
ରଖିଥିଲେ ନିଜ ପାଶେ
ନୀଳ ପାରାବାର ଲହରୀରେ ଖେଳି
ଦିବ୍ୟ ଶୋଭାବନ ଦିଶେ ।
ବିବିଧ ପ୍ରକାର ବସ୍ତ୍ର ଭୂଷଣରେ
ସଦା ବିମଣ୍ଡିତ ହୋଇ
ଲାବଣ୍ଯରେ ଭରା କମଳ କଳୀଟି
ପରା ସେ ଫୁଟି ଉଠଇ ।
ଆସୁ ଥିଲେ ଦିନେ ଏକାକୀ ମିହିର
ଅର୍କ କୋଣାର୍କ ର କ୍ଷେତ୍ରୁ
ଚନ୍ଦ୍ରଭାଗା ଙ୍କର ଶୋଭା ସୌନ୍ଦର୍ଯ୍ୟ ରେ
ସମ୍ମୋହନ ହେଲେ ନେତ୍ରୁ ।
କାମଦେବ ଙ୍କର କୋପେ ଦିନନାଥ
ଫୁଲଶର ପ୍ରକୋପରେ
ଧୈର୍ଯ୍ଯହରା ହୋଇ ଉଡିଲା ହୃଦୟ
ଅନୁରାଗ ଆବେଗରେ ।
ବିପ୍ରବେଶ ହୋଇ ଚଳିଲେ ତପନ
ସୁନ୍ଦରୀ ବାଳା ସମୀପେ
ସ୍ବର୍ଣ୍ଣତାଳ ପ୍ରାୟ ଉଜ୍ବଳ ଦିଶିଲା
ଚଉଦିଗ ଆପେଆପେ ।
ଚକିତ ହୋଇଣ ଚନ୍ଦ୍ରଭାଗା ବାଳୀ
ଲାଜେ ଅଧିର ହୋଇଲେ
ବିଦ୍ଯୁତ ବେଗରେ ବେଗେ ବେଗେ ଧାଇଁ
ଧୀରେ ଦୂରେ ପଳେଇଲେ ।
ସୂର୍ଯ୍ୟଦେବ ତାଙ୍କ ପଛରେ ଧାବନ୍ତି
ନିଜ ଯଶ ଖ୍ଯାତି କହି
ବର୍ଷ,ମାସ, ଦିନ, ଦଣ୍ଡ ର ଦେବତା
ଜଗତେ ମୁହିଁ ଅଟଇ ।
ମୋହର ଏ କ୍ଷେତ୍ର କୋଣାର୍କ ମନ୍ଦିର
ମୁକୁଟ ସେ ଉତ୍କଳ ର
ଅସଂଖ୍ଯ କ୍ଷତ୍ରିୟ ଭୂପତି ମୋ ବଂଶ
ପ୍ରଭାପୁଞ୍ଜ ସଂସାର ର ।
ଲାବଣ୍ଯ ରଜ୍ଜୁରେ ବାନ୍ଧିଲୁ ମୋତେ'ତୁ
ଛଇଳା ତୁହି ସୁନ୍ଦରୀ
ତୋର ରୂପ ଗୁଣେ ଏ ସାରା ସଂସାରେ
କେହି ହେବେ ନାହିଁ ସରି ।
ବଇରୀ ନୁହଁଇ ତୋହର ମୁଁ ଗୋରୀ
କର ଯୋଡିକି କହୁଛି
ମନୋହାରୀ ତୋର ରୂପ ମାଧୁରୀରେ
ପାଗଳ ପ୍ରାୟ ଧାଉଁଛି ।
ଋଷି କୁମାରୀ ସେ ରୂପସୀ ଲଳନା
ହେମାଙ୍ଗୀ ହରିଣୀ ପରି
ଅତି ଦ୍ରୁତ ବେଗେ ଧାଏଁ ଅବସାଦେ
ଜୀବନ ବିକଳେ ଡରି ।
ପ୍ରେମେ ହୋଇ ଭୋଳ ମାୟା ବିପ୍ରବେଶେ
ସୂର୍ଯ୍ୟଦେବ ଅନୁସରି
ଚନ୍ଦ୍ରଭାଗା ବାଳୀ ପଛରେ ଧାବନ୍ତି
ହୋଇଣ ଶିକାରୀ ପରି ।
କଣ୍ଠାଗ୍ରତ ପ୍ରାଣେ ଉର୍ଦ୍ଧ୍ବଶ୍ବାସ ଫେଡି
କାରୁଣ୍ଯ ରେ ହାତ ଯୋଡି
ମାତାଙ୍କ ଉଦ୍ଦେଶ୍ୟେ କୁହେ ଚନ୍ଦ୍ରଭାଗା
"ଦୁଃଖ ଫେଡ ହେ ଜନନୀ "! ।
ବିଭୁଷଣ ପାଇଁ ହେଲା ଏ କଷଣ
ଆଶ୍ରୟ ଦିଅ ମା' କୋଳେ
ଭୂତଧାତ୍ରି ମୋର ମାତା ହେ ବସୁଧା
ନୀଳ ଦରିଆର ଜଳେ ।
ବିସ୍ତାରିଲା ବାହୁ ନୀଳ ସାଗର ସେ
ଉଠିଲା ଲହରୀ ମାଳା
ବିଶ୍ବଗ୍ରାସୀ ହୋଇ ମାଡି ଆସି ନେଲା
ରୂପସୀ ତରୁଣୀ ବାଳା ।
ମହାକାଳ ରବେ ମିଶିଗଲା କ୍ଷଣେ
ଚକିତେ ଚପଳା ପ୍ରାୟ
ସ୍ତମ୍ଭୀଭୂତ ହୋଇ ରହିଲେ ତପନ
ମନରେ ବହି ବିସ୍ମୟ ।
ଭୈରବ ଶବଦେ ହେଲା ଭୂମିସାତ୍
ନିଜର ପ୍ରିୟ ଦେଉଳ
ଉତ୍କଳ ଭୂବନେ ତୁଙ୍ଗ ମନ୍ଦିର ସେ
ଥିଲା ଯେ ଦିନେ ଅତୁଳ ।
ଧ୍ଯାନଯୋଗେ ଋଷି "ସୁମନ୍ଯୁ"ଜାଣିଲେ
ସୂର୍ଯ୍ୟଙ୍କ କାର୍ଯ୍ୟ କଳାପ
କୋପାନଳେ ଜଳି ହୋଇ ପ୍ରଜ୍ଜ୍ଵଳିତ
ଦେଲେ ସେ ଦାରୁଣ ଶାପ ।
ସେହି ଦିନ ଠାରୁ କୋଣାର୍କ କ୍ଷେତ୍ରରୁ
ଉଠିଲା ପୂଜା ବିଧାନ
ଋଦ୍ଧଦ୍ବାର ହୋଇ ରହିଲା ମନ୍ଦିର
ମରୁ ରୂପେ ସେହି ସ୍ଥାନ ।
ସାକ୍ଷୀ ରହିଛି ସେ ମୁଖଶାଳା ଖାଲି
ବିମନା ହେଲେ ମାର୍ତ୍ତଣ୍ଡ
ମହାତେଜପୁଞ୍ଜ ଦେବତା ଲଭିଲେ
ଋଷି ଅଭିଶାପେ ଦଣ୍ଡ ।
ପୂର୍ବ ଗୌରବର ସ୍ମୁତି କୁ ସଜେଇ
ପାନ୍ଥ ସେ ଉତ୍ତର ଦେଲା
ଚିର ଦିନ ପାଇଁ ଚନ୍ଦ୍ରଭାଗା ନାମେ
ସେ ଯାଗା ଚିହ୍ନିତ ହେଲା। ।