ଚିତ୍ର ଚରିତ - 54 ବ୍ୟଙ୍ଗ କବିତା: ନୂଆ ଭିକାରି
ଚିତ୍ର ଚରିତ - 54 ବ୍ୟଙ୍ଗ କବିତା: ନୂଆ ଭିକାରି
ବାମ ହାତେ ଜରୀ ଡାହାଣରେ ବାଡ଼ି ବେଶ ମୋ ଫୁଲ ଶିକାରୀ,
ପାଠ ମୁଁ ପଢିଛି ବାଟ ବି ଜାଣିଛି ସାଜିଛି ନୂଆ ଭିକାରି |
ଏବେ ତ ଭିକାରି ଦିଶନ୍ତିନି ଆଉ ବୁଲନ୍ତିନି ଘରେ ଘରେ,
ତାଙ୍କକାମ ଏବେ ଆଦରି ନେଇଛି ଅନ୍ଧାରିଆ ବୁଲେ ଡରେ |
କାହାର ବାଡ଼ରେ ରାସ୍ତାର କଡ଼ରେ ଫୁଟିଥିଲେ ଫୁଲଟିଏ,
ଅନ୍ଧାରରେ ବାଡ଼ି ଗଳେଇ ନେଉଛି ମାଲିକ ଭକୁଆ ହୁଏ |
ଭକ୍ତିଭାବ ମୋର ପ୍ରବଳ ରହିଛି ନିତି ଫୁଲ ଚୋରୀ କରେ,
ପାଞ୍ଚତାଲା କରି ଅନେକ ଲୋକଙ୍କୁ ଭଡ଼ାରେ ରଖିଛି ଘରେ |
ଗଛ ଲଗେଇବା କଷ୍ଟ କେ କରିବ ମାଟି ଖତ ଦରକାର,
ପାଣିଦିଆ କାମ ସେ ଗଛର ଯତ୍ନ ନେବ କିଏ ବା ଆମର ?
ହାତ ପାହାନ୍ତାରେ ଥିବ ଯଦି ଫୁଲ ଆହା କି ମଜା ସତରେ,
ସବୁ ତୋଳିନିଏ ଡାଳ-ପାତ୍ର ଭାଙ୍ଗି ଦୁଃଖ ନ ଥାଏ ମନରେ |
ଚୋର ବୋଲି କିଏ କହିଲେ କହିବ ଭିକାରି କହିଲେ କହୁ,
ଜରୀ ଭରା ଫୁଲ ଆଣୁଛି ଘରକୁ ଆଉ କେ ପାଉ ନ ପାଉ |