ଛଳନା-୭
ଛଳନା-୭
ମନ ଉପବନେ ତୁଫାନ ଆସିଛି
ମିଳେ ନାହିଁ ପାରିଜାତ,
ମରିଚିକା ସମ ପାଲଟି ଯାଇଛି
ଜୀବନ ରାସ୍ତାର ଗୀତ,
କାହାକୁ କହିବି ମିତ,
ବିଦୀର୍ଣ୍ଣ କାନନେ ପ୍ରଜାପତି ସବୁ
ହେଉ ନାହିଁ ଆଉଯାତ ।।
ହୃଦ ଆକାଶଟା ତାରାମୟ ଆଜି
ଦେଖା ମିଳେନାହିଁ ଜହ୍ନ,
ଭାଗ୍ୟର ଗଗନେ ଅମା ଅନ୍ଧକାର
ଆଲୋକ ଲାଗୁଛି ସ୍ବପ୍ନ,
ଖାଲି ମୁଁ ଚିନ୍ତାରେ ମଗ୍ନ,
ଆଶାସବୁ ଏଠି ଅମାବାସ୍ୟା ସମ
ପୂର୍ଣ୍ଣମୀର ନାହିଁ ଚିହ୍ନ ।।
କାନଭାସ ମୋର ତୁମ ପ୍ରତି ଛବି
ଆଙ୍କୁ ନାହିଁ ବାରମ୍ବାର ,
ପ୍ରତାରଣା ତୁମ ହୋଇଛି ଅଭୂଲା
ଛାତିରେ ଟାଣିଛି ଗାର,
କରିଦେଲ ନାରଖାର,
ମଳୟ ପବନ ଆଶା କରିଥିଲି
ମିଳିଲା ଛଳନା ଭାର ।।
ଆଇନାରୁ ମୋର ତୁମ ପ୍ରତିବିମ୍ବ
ଯାଇଛି କେବେଠୁ ହଜି,
ସପନ ହାଟରେ ପ୍ରେମର ଭାବନା
କଳଙ୍କେ ଯାଇଛି ଭିଜି,
ବିଳାପେ ବଞ୍ଚୁଛି ଆଜି,
ବିସ୍ମୃତି ଗର୍ଭରୁ ପ୍ରୀତି ଶାମୁକାକୁ
ପାଉନାହିଁ ଆଉ ଖୋଜି ।।
ଦିଗ ବଳୟରୁ ସବୁ ଦିନ ପାଇଁ
ଯାଇଛ ତ ତୁମେ ଲୁଚି,
ଆଉ କେମିତି ବା ମୁଁ ଜାଣି ଥାଆନ୍ତି
ହୃଦୟରେ କଣ ଅଛି,
ଜାଣିଛି ଠକି ଯାଇଛି,
ଅନୁରାଗ ତୁମ ଭୁଲିବା ପାଇଁକା
ଦରଦୀ କବି ହୋଇଛି ।।