ତମେ
ତମେ
ତମେ ଏମିତି ଏକ ସୁଉଚ୍ଚ ପ୍ରାଚୀର
ଯାହାର ସୁରକ୍ଷାରେ
ଏ ଜୀବନଟା ପୁରା ଭିତି ହୀନ ଲାଗେ,
ବାଇ ଚଢେଇର ବସାରେ
ଅଣ୍ଡା ରଖିଦେଇ
ମାଆ ବାଇ ଚଢେଇ ଯେପରି
ସାରା ବିପଦରୁ ନିଶ୍ଚିନ୍ତ ହୋଇ ଉଡିଯାଏ,
ଓ ଅଖଣ୍ଡ ପ୍ରଶାନ୍ତି ସହ
ଆକାଶରେ ପରିଭ୍ରମଣ କରେ
ଓ ଶାନ୍ତିରେ ଫେରିଆସେ
ତାର ସାବକ ମାନଙ୍କ ପାଖକୁ,
ନା ଥାଏ ତାର ଡରଭୟ
ଝଡ଼ ବତାସ କି ଖରା ତରାକୁ,
ନାଁ ଥାଏ ତଳେ ଖସିପଡ଼ି ଯିବାର
ଏକ ଅପ୍ରତ୍ୟାଶିତ ଆଶଙ୍କା।
ସେମିତି ତମର ଉପସ୍ଥିତି
ମନରେ ଭରିଦିଏ ଏକ ଅଖଣ୍ଡ ପ୍ରଶାନ୍ତତା
କିଛି ପାଇବାର କି କିଛି ନିରାଶାର
ନ ଥାଏ ବ୍ୟାକୁଳତା,
ନାଁ ତମ ପାଇଁ କିଛି କରିବାରେ ଥାଏ ଟିକେ ବି ବିଷର୍ଣ୍ଣତା।
ନାଁ ଆଶା ଆକାଂକ୍ଷାରେ କେବେ
ଭରିଛି କିଛି ପ୍ରାଚୁର୍ଯ୍ୟ।
କ୍ଷୁର୍ଣ୍ଣ କେବେ ନ ହେଉ ତମ
ଦୟାବାନ ଭାବ ମୂର୍ତ୍ତି ର ଆନନ
ଭୟ ତ କେବେ ସୃଷ୍ଟି କରିନି
ତମ ଗାମ୍ଭୀର୍ଯ୍ୟ ଭରା ମୁଖମଣ୍ଡଳ।
ଏକ ବାସ୍ତବତାର ଅଭୟ
ମୋ ଅନ୍ତରରେ ଜନ୍ମାଏ ଏକ ପ୍ରବଣତା,
ଏକ ଆତ୍ମ ସୁଖ
ଏକ ନିରାମୟ ପୁଲକ ଜନ୍ମାଏ ଖୁସି ,
ଖାଲି ତମେ ଅଛ ବୋଲି।
ତମେ ଅଛ ବୋଲି ମୋ ମନ ଟା ସର୍ବଦା
ଛନ୍ଦମୟ ହୋଇ ଉଠୁଛି
ଭାବ ଆଉ ଆବେଗରେ,
ତମର ସେ ଆକସ୍ମିକ ଅନୁରାଗ ଶିଖାଏ ବେଳେବେଳେ ଟିକେ ହସିବାର ଛନ୍ଦ
ବାସ ସେଇଥିରେ ମିଳେ ଯେଉଁ
ପାଖୁଡ଼ାଏ ବାସ
ସେତିକିରେ ହରିଯାଏ ଜୀବନର
ସବୁ ଭୟ ଓ ଭ୍ରାନ୍ତି।
ତମେ ନ ଥିଲେ ଜୀବନଟା
ବେଦନାର ଆବର୍ତ୍ତରେ ଭରିଯାଆନ୍ତା
ନିଶ୍ଚେ ଗଭୀରରୁ ଗଭୀର କ୍ଷତ ହୋଇ,
ଏକ ଯନ୍ତ୍ରଣା ଶୀକ୍ତ ଜୀବନକୁ
ଅକେଲା ଟାଣି ଓଟାରି
ପାରିବିନି ବୋହି ଏବେ ଜାଣି ମୁଁ ପାରୁଛି,
ସେଥିପାଇଁ ସେ ଶୁଭଙ୍କରୀ ଇଶ୍ଵରଙ୍କ
ପାଦପଦ୍ମେ ପ୍ରାର୍ଥନା ମୋହର
"ତମେ ହୁଅ ଚିରଞ୍ଜିବୀ"
ଅସମ୍ଭବ ଆଶୀର୍ବାଦ କିମ୍ପାଇଁ ମାଗିବି
କଷ୍ଟ କିଆଁ ଦେବି ମୋ ପ୍ରଭୁଙ୍କୁ ।
ଅକିଞ୍ଚନାର ଏ ଅଟେ ଛୋଟିଆ ମାଗୁଣି
ନୁହେଁ ବହୁ ମୂଲ୍ୟ,
ଦିଅଖାଲି ହାତଟେକି ମୋତେ ବରାଭୟ,
ମୁଁ ମଶାଣିକୁ ଚାଲିଯାଏ
ମେଞ୍ଚା ଏ ସିନ୍ଦୁର ଆଉ
ମୁଠାଏ ଶଂଖାର ସହ ସମାରୋହ ଧରି।