ସ୍ମୃତି
ସ୍ମୃତି
ଆଖି ଖୋଜୁଥିଲା
କାହାକୁ କେଜାଣି
ଦୁନିଆର ଗହଳିରେ ।
ତାଳୁରୁ ତଳିପା
ଝୁରୁଥିଲା ତାକୁ
ବ୍ୟାକୁଳରେ ନୀରବରେ ।
ଥରୁଟିଏ ଖାଲି
ଦେଖିବା ପାଇଁ କି
ମନ କରୁଥିଲା ଅଳି ।
ବିରହରେ ତାର
ହୃଦୟ ପଞ୍ଜର
ଯାଉଥିଲା ସବୁ ଜଳି ।
ମୁଁ ତ ଭୁଲିନାହିଁ
ତା ସାଥେ ସମ୍ପର୍କ
କେମିତି ଭୁଲିଲା ମତେ ।
ଅଳପ କଥାରେ
ଅଳପ ବ୍ୟଥାରେ
ଦୁରେଇ ଗଲା ସେ ସତେ ।
ମନ ଚାଁହୁଥିଲା
ଛୁଇଯିବା ପାଇଁ
ତା ଦେହର ମିଠା ବାସ୍ନା ।
ଆଖି ଖୋଜୁଥିଲା
ଦେଖିବାକୁ ତାକୁ
ଭରିଯିଵା ଯାଏ ତୃଷ୍ଣା ।
ଓଠ ଖୋଜୁଥିଲା
ତା ଓଠ ହସକୁ
ନିଜ ଦେହେ ଭରିବାକୁ ।
ସତରେ ନହେଉ
ସପନ ବୋଇତେ
ଜୋଛନାରେ ଭିଜିବାକୁ ।
ହଜେଇ ଦେଇନି
ହଜି ସେ ଯାଇନି
ହୃଦୟ ମନ୍ଦିରେ ଅଛି ।
ତା ପ୍ରଦତ୍ତ ସବୁ
ପ୍ରୀତିର କୁସୁମ
ଯତନରେ ସାଇତିଛି ।
ଛାଇ ହୋଇ ସଦା
ମୋ ସାଥିରେ ଅଛି
ଅତୀତର ସବୁ ସ୍ମୃତି ।
କେତେ ରାଗ ରୁଷା
ମାନ ଅଭିମାନ
ପ୍ରଣୟର ମଧୁଗୀତି ।
କେବେ ଝରେ ଲୁହ
ବ୍ୟାକୁଳ ଅନ୍ତରେ
ଦୀର୍ଘାଶ୍ୱାସ ତାର ସାକ୍ଷୀ ।
ଅନୁଭବେ ପୁଣି
ମଧୁଝରା ସ୍ପର୍ଶ
ତା ପ୍ରଣୟ ଦେହେ ମାଖି ।
ନୈଶ୍ୱର ଶାଶ୍ୱତ
ପବିତ୍ର ସମ୍ପର୍କ
ହୃଦୟ ବନ୍ଧନ ସିଏ ।
ପ୍ରାପ୍ତି ଅପ୍ରାପ୍ତିର
ନାହିଁ ଅବଶୋଷ
ଯାହା ପାଇଁ ଗଢ଼ା ଯିଏ ।