STORYMIRROR

Jayashree Das

Romance

4  

Jayashree Das

Romance

ଭଲପାଏ ବୋଲି

ଭଲପାଏ ବୋଲି

1 min
242


ତୋ ପ୍ରେମ ରଙ୍ଗରେ ରଙ୍ଗେଈ ହେବାକୁ,

  ଚାଁହୁଛି ରେ ମୋର ମନ

ପାଦରେ ଅଧୀର ନୁପୁର ମୋହର,

  ଶୁଣି ତୋର ବଂଶୀସ୍ଵନ ।।


ତୋ ମୟୁର ଚନ୍ଦ୍ରିକା ମନକୁ ଟାଣୁଛି,

  ଲୁଚି ଲୁଚି ତାକୁ ଦେଖେ

ତୋ ବଙ୍କିମା ଅଧର ତ୍ରିଭଙ୍ଗୀ ଠାଣିରେ,

   ହୃଦ ମୋର ଯାଇ ଲାଖେ ।।


ତୋ ଛନ୍ଦା ଚରଣେ ବନ୍ଧା ହୋଇଛିରେ,

  ମୋର ଏ ପରାଣ ପକ୍ଷୀ

ପିତାମ୍ବରୀ ପାଟ ହଳଦୀ ରଙ୍ଗରେ,

  ଆଖି ମୋ ଯାଉଛି ଲାଖି ।।


ଶ୍ୟାମ ଦୁର୍ବାଦଳ ଶରୀର ତୋହର,

   କଳାରଙ୍ଗ କାଳିମାରେ

ହଜିବାକୁ ଧନ ଟାଣୁଛି ଏ ମନ,

  ନାହିଁ ମୋର ଆୟତରେ ।।


କପଟିଆ ହସ କରୁଛି ବେହୋସ,

  କି ନିଶା ସେଥିରେ ଅଛି?

ଦିବାନିଶି ମୋର ଆଖିରେ ନାଚୁଛି,

  ଭାବୁନାହିଁ ଆଉ କିଛି ।।


ହୃଦ ସିଂହାସନେ ବସାଇ ଦେଇଛି,

   ପୁଜାରିଣୀ ମୁଁ ତୋର

ଦିନ ରାତି ଜପାମାଳୀ ମୁଁ କରିଛି,

   କି ଆଲୋକ କି ଅନ୍ଧାର ।।


ଆକାଶେ ଦେଖୁଛି ମାଟିରେ ଦେଖୁଛି,

   ଦେଖେ ସାଗର ତରଙ୍ଗେ

ଫୁଲ ପାଖୁଡ଼ାରେ ତୁଳସୀ ବାସରେ,

   କର୍ପୁର ଚନ୍ଦନ ସଙ୍ଗେ ।।


ଭଲ ପାଏ ବୋଲି ସତରେ କହ୍ନେଇ,

   କୁହେ ନାହିଁ କାହା ଆଗେ

କହିବି କେମିତି ଲାଜେ ଜରଜର,

   ତୋହ କଥା ଯେବେ ଭାବେ ।।


ହେବୁକି ମୋହର ପରାଣ ମିତ ତୁ,

  ମୁହିଁ ନୁହେଁ ସିନା ରାଧା

ସତ ମୁଁ କହୁଛି ଶରଣ ଯାଇଛି,

  ତୋ ପ୍ରେମେ ପଡିଛି ବନ୍ଧା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance