ମିଛେଇ ପ୍ରିୟା
ମିଛେଇ ପ୍ରିୟା
ମଥାରେ ସିନ୍ଦୁର
ଗଭାରେ ମଲ୍ଲିମାଳ
ହାତରେ କଟକି ଶଙ୍ଖା
ଓଢଣାକୁ ଟାଣି ନୂଆ ବୋହୁ ସାଜି
ମୁରକି ହସୁଛୁ କାହିଁ ।
ପାଦରେ ନାଇଛୁ ନାଲି ଅଳତା
କଣ୍ଠରେ ମୁକୁତା ହାର
ନାଲି ପାଟଶାଢି ପିନ୍ଧି କନିଆ ବେଶରେ
ଘାରିଛୁ ମତେ ତୁ ବାନ୍ଧି ।
ରୂପା ଜହ୍ନର ତୁ ସୁନା କନିଆଲୋ
ଚୁପି ଚୁପି କେତେ ରାତି
ଶୀତଳ ପରଷ ଜ୍ଯୋସ୍ନା ରାତିର
ମଧୁର ଆନନ୍ଦ ପ୍ରିତି ।
ତୋର ମିଠା ମିଠା ହସ
କରିଛି ମୋତେ ପାଗଳ
ତୋ ଜୀବନ ଜ୍ବାଳାରେ
ହେଉଛି ମୁଁ କଲବଲ ।
ଦୂର ପରବତ ସତ ମରିଚିକା
ମିଛେଇ ପ୍ରିୟାର ପ୍ରେମ
ପାଗଳ କରିଛି ମୋତେ
ଜାଳୁଛି ଦୀପାଳି ଲେଖୁଛି କବିତା
ତୋ ପ୍ରେମର ଅଭିନୟେ ।
ନୂଆ ନୂଆ ତୁ ଅଭିନୟ କରି
ଖେଳୁଛୁ କଣ୍ତେଇ ସାଜି
ସହି ପାରୁନିକି ରହି ପାରୁନି ସେ
କାନ୍ଦେ କଇଁ କଇଁ ହୋଇ ।
ବାଜେ ଶାହାନାଇ ବାଜୁଛି ମାଦଳ
ସଜେଇ ହୋଇଛି ପ୍ରିୟା
ଭୁଲେଇ ଦେଇଛି ମୋ ଭଲ ପାଇବା
ବାଏ ବାଏ କରୁଛି ମିଛେଇ ପ୍ରିୟା ।