ଅଳିକଢ଼ି ପ୍ରେମେ ମଧ୍ୟସ୍ଥି ସମୀର
ଅଳିକଢ଼ି ପ୍ରେମେ ମଧ୍ୟସ୍ଥି ସମୀର
ମନ୍ଦ ସମୀର ବହଇ ସଧିର କୁଞ୍ଜ କାନନ ପୀଠେ
ଭ୍ରମର ଗାଉଛି ଗୀତ ଗୁଣୁ ଗୁଣୁ ସ୍ଵରେ ଆକୁଳ କଣ୍ଠେ l
କେମିତି କଢ଼ି ପାଖକୁ ଯିବି ମୁଁ ପାଉନି ମୁଁ ଜମା ବାଟ
ହେ ସମୀର ଉଡ଼େଇ ନିଅ ମତେ ସେଠିକି ନକରି ହଟ l
ବାତୁଳ ନହୋଇ ବସ ହେ ଅଳି କଢ଼ାଇ ନେବି ମୁଁ ବାଟ
ସମୀର କହଇ ଶୋଇଛି କୁସୁମ ଉଠିନି ସେ ଆଜି ଝଅଟ l
ଦେଇଛି ତମର ବାରତା କଳିକୁ ଫୁଟି ବାକୁ ସଜ ଫୁଲେ
ତୁମ ପ୍ରେମଫାଶେ ବନ୍ଧା କଳିକା ରଖିଛି ସାଇତି ଅରକ ଗେଲେ l
ଭଅଁର ବାପୁଡ଼ା ମୁରୁକି ହସିଲା ସମୀର ବଚନ ଶୁଣି
କୁହ ତୁମେ ମତେ ନଭଣ୍ଡାଇ ସତ କଳିର ଠିକଣା ଜାଣି l
ସମୀର ହସିଲା ଅଳି କଥା ଶୁଣି ବିଫଳ ପ୍ରେମିକ ମଣି
ତୁରୁତୁରିଆ ଗୁଣେ ହରାଇଲା କସୁମ ପରଶ ପାଖୁଡ଼ା କାନି l
ତଥାପି ଜିଦିଆ ଅଳି ବିଶ୍ୱାସ ନକରି ସମୀର ମଧୁର ଅଳି
ଶୁଣ୍ଢକୁ ବୁଲେଇ ଡେଣାକୁ ମେଲେଇ ଉଡ଼ି ଉଡ଼ି ଗଲା ଚାଲି l
କରି ଡେଣା କ୍ରୋଧେ ଫଡ଼ଫଡ଼ ଗରଜି ପଶିଲା ଉଦ୍ୟାନେ
ନିରିଖି ଚାହିଁଲା କାନ୍ଦି ଲତା ଗୁଳ୍ମ ଡାଳେ ନଦେଖି ପୁଷ୍ପ ଗଣେ l
ମନ୍ଦିର ପୂଜାରୀ ନେଇଗଲା ସବୁ ତୋଳି ଆଗ ସଜକୁସୁମଗୁଚ୍ଛ
ଦେବତାଙ୍କ ଶିର ସଜାଇ ଦେବାକୁ ଯତନେ ଅଳିକୁ ମଣି ତୁଚ୍ଛ l
ବିଚରା ଭଅଁର ଗୁଣୁ ଗୁଣୁ ସୁରେ କରିଲା ବିଳାପ ବିଷାଦ ମନେ
ସମୀରେ ମାଗି କ୍ଷମା ପଶିଲା ମନ୍ଦିର ଭିତରେ ଆନନ୍ଦ ମନେ l
ପୂଜାରୀ ଅର୍ପିତ ତାର ପ୍ରେମିକା-ସଜ-ଫୁଲ ଦେବତା ମାଥେ
ଉଡ଼ିଗଲା ପାଖକୁ ସେମାନଙ୍କ ଶେଷ ଚୁମ୍ବନ ଦେବାକୁ ହାତେ l
ସେଦିନ ଭ୍ରମର ବର ଯଦିବା ରହିଲା ତୃଷାର୍ତ୍ତ ଫୁଲ ଅର୍କ ବିନା
ତଥାପି ମେଣ୍ଟିଲା ତାର ଆଶା ଦେଖି ପୁଷ୍ପସମ୍ମାନ ଦେବଲଳନା l
ଉଡ଼ିଗଲା ସୁଦୂରେ ଭ୍ରମର ବାପୁଡ଼ା ଅନ୍ୟ ଉଦ୍ୟାନ ଅନ୍ୱେଷଣେ
ମେଣ୍ଟାଇବାକୁ ତା' ଚାହିଦା ଟାଣୁଆ ଉଡ଼ାଣେ ବିକଳ ପରାଣେ l

