ବର୍ଷା ଗୋ ତୁମେ ବଇରୀ ସାଜିଛ
ବର୍ଷା ଗୋ ତୁମେ ବଇରୀ ସାଜିଛ
ପ୍ରିୟାର ପାଦର ନୂପୁର ଝଙ୍କାର ତୁମ ଅଧରେ ଗୀତରେ ଢାଳୁଛ
ଶୁଖିବ କିପରି ନୟନରୁ ଅଶ୍ରୁ ବର୍ଷା ଗୋ ତୁମେ ବଇରୀ ସାଜୁଛ !
ମେଣ୍ଟେ ନାହିଁ ତୃଷା ତୁମର ଧାରାରେ କି କାରଣେ ତୁମେ ବାରି ଢାଳୁଛ ?
ନିଦାଘ ପୀଡ଼ିତ ଦେହ ଭିଜେ କିନ୍ତୁ ବର୍ଷା ଗୋ ତୁମେ ହୃଦୟ ଜାଳୁଛ !
ପଥହରା କରି ବିରହରେ ଭରି ବିପଥକୁ ମୋତେ କିଆଁ ଠେଲୁଛ?
ଭୁଲିବାକୁ ଚାହେଁ କିନ୍ତୁ ସ୍ମୃତି ଆଣି ବର୍ଷା ଗୋ ତୁମେ ପସରା ମେଲୁଛ I
ଅବେଳାରେ କେବେ ଅଦିନରେ କେବେ ଅତିଥି ଭଳି ଜୀବନେ ଆସୁଛ
ଦୁଇ ଘଡି ରହି ପ୍ରୀତି ସାଥି ହୋଇ ବର୍ଷା ଗୋ ତୁମେ ପାଶୋରି ଯାଉଛ !
ତୁମର ମହକେ ତୁମର କୁହୁକେ ପ୍ରଣୟ ଇଚ୍ଛା ଦେଇଣ ଝରୁଛ
ପ୍ରେମରେ ପୂର୍ଣ୍ଣତା ଲୋଡୁ ଥାଏ ମନ କିନ୍ତୁ ବର୍ଷା ଗୋ ଅପୂର୍ଣ୍ଣତା ଭରୁଛ !
ଅନେକ ପ୍ରକାର ସ୍ଵାଦ ଜୀବନରେ ବିଷର ସ୍ଵାଦ କିନ୍ତୁ ଚଖାଉଛ
ପ୍ରେମରେ 'ଜୀବନ' ଖୋଜୁଛି ମୁଁ କିନ୍ତୁ ବର୍ଷା ଗୋ 'ମୃତ୍ୟୁ' ମୋତେ ଦେଖାଉଛ !

