ରଜନୀର ତୃଷ୍ଣା
ରଜନୀର ତୃଷ୍ଣା
ଅସ୍ତମାନ ସୂର୍ଯ୍ୟ
ଦିନାନ୍ତେ ଆସେ
ମାୟାବିନୀ ରାତ୍ରୀ
ଶୀତସିକ୍ତ ଦେହ
ଦିଏ ସ୍ବପ୍ନ ଛିଟା l
ଜ୍ୟୋତ୍ସ୍ନା ବିଧୌତ
ରଜନୀର ସ୍ପର୍ଶେ
କୁମୁଦିନୀ ମନତଳେ
ଅସୁମାରୀ ତୃଷ୍ଣା l
ହୃଦୟ ତନ୍ତ୍ରୀରେଉଠେ
କୋହର ଝଙ୍କାର
ଖୋଜିଥାଏ ଉଷୁମ ପରଷ
ପାଇବାକୁ ଚଞ୍ଚୁର ଆଘାତ l
ଅଥବା ଗଭୀର ଆଶ୍ଳେଷ
ଅଧାମୁଦା ନେତ୍ରକୋଣେ
ଭାସିବୁଲେ ଅନେକ l
ଗତାଗତ ଅନୁଭବ
କେବେ କେବେ
ସ୍ବର୍ଣ୍ଣାଭ ପୃଥିବୀ
କେବେ ଅବା ରକ୍ତିମ ସେ
ପଶ୍ଚିମ ଆକାଶ l
ପ୍ରତ୍ୟୁଷରେ ମାୟା ଯାଏ ଦୂରେ
ଉଦୀୟମାନ
ତପନ ରଶ୍ମିରେ l
କିଏ ଜାଣେ ଭଙ୍ଗାଗଢା ଦୁନିଆଁରେ
ସଫଳ କି ବିଫଳ
ସେ ରଜନୀର ତୃଷ୍ଣା
ପାହାନ୍ତି କୁଆଁ ତାରା
ଖୋଲିଦିଏ ଆଖି l
ଦିବସ ସୁରୁଯ ଯେବେ
ବୁଣେ ଆଲୁଅ ମୁରୁଜ
ସ୍ୱପ୍ନର ଚାନ୍ଦଟା l
ରହିଯାଏ ଭାସମାନ
ମଲାଜହ୍ନ ହୋଇ
ଅବ୍ୟକ୍ତ ବେଦନା l
ଅକୁହା ହୋଇ ସାଇତା
ମନଗନ୍ତାଘରେ
ଜୀବନର ଗନ୍ତବ୍ୟ ପଥରେ l