STORYMIRROR

CHINMAYEE PRADHAN

Romance

3  

CHINMAYEE PRADHAN

Romance

ଲାଗି ଯାଉ ରଙ୍ଗ ଛିଟା

ଲାଗି ଯାଉ ରଙ୍ଗ ଛିଟା

1 min
166


ନବ ପଲ୍ଲବରେ ଆଚ୍ଛନ୍ନ ପାଦପ

 ଧରା ଧରେ ନୂଆ ରୂପ 

ମଧୁମାଳତୀର ମହ ମହ ବାସ

 ସତେ କି ଜଳୁଛି ଧୂପ।


ଆମ୍ର ତରୁ ଡାଳେ ବଉଳ ହସଇ

  ପିନ୍ଧିଣ ହଳଦୀ ପାଟ 

କୋକିଳ ଡାକଇ କୁହୁ କୁହୁତାନେ

  ବସନ୍ତ ପିନ୍ଧେ ମୁକୁଟ।


ଶୀତର ରାଜୁତି ସରିଗଲା ଏବେ

  ବସନ୍ତ ରାଜଗାଦିରେ 

ମତୁଆଲା କରି ମଳୟ ପବନ

  ବହୁଛି କେଡ଼େ ସଧିରେ।


ନଦୀ ପୋଖରୀରେ ସ୍ୱଚ୍ଛ ଜଳଧାରା

  ଫିକାନୀଳ ସାଗରଟା 

ତା ରଙ୍ଗ ଛଡେଇ ମାଖି ହେଇଛି ଏ

  ନିରିମଳ ଆକାଶଟା।


ମଧୁମାସେ ଆସି ମଧୁକର ହସି

  ଢାଳି ଦେଲା ମଧୁ ମିଠା 

ଫୁଲେଇ ଫଗୁଣ ଫୁଲରେ ସଜାଇ

  ବୁଣିଦେଲା ରଙ୍ଗ ଛିଟା ।


କୁଞ୍ଜବନେ ଶୁଭେ କାହ୍ନୁର ବଇଁଶୀ

  ରାଧା ମନ ଛଟପଟ 

ରାସ ରଚିବାକୁ ସେ କଳା ରସିକ

  ଭିଆଏ ଯେ କେତେ ନାଟ।


ଛୁପି ଛୁପି ଆସି କଳାକାହ୍ନୁ ଖଞ୍ଜେ

  ବୋଳେ ରଙ୍ଗ ରାଧା ଅଙ୍ଗେ 

ସହଜେ ଛାଡ଼େନି ଏ ପ୍ରେମର ରଙ୍ଗ

  ମିଛେ ମିଛେ ରାଇ ରାଗେ।


ଫଗୁଣ ଆଣିଛି ରଙ୍ଗର ପସରା

  ରଙ୍ଗୀନ ଏ ପୃଥିବୀଟା 

ପୁଲକିତ କରି ତନୁମନ ସବୁ

  ଲାଗି ଯାଉ ରଙ୍ଗ ଛିଟା।


କ୍ରୋଧ ହିଂସା ଲୋଭ କଳାରଙ୍ଗ ଫେଡି

  ନିର୍ମଳ ହେଉ ମନଟା 

ସ୍ନେହ ପ୍ରେମ ଦୟା କ୍ଷମା କରୁଣାର

  ଲାଗି ଯାଉ ରଙ୍ଗ ଛିଟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance