ପ୍ରୀତି ଶୃଙ୍ଗାରିଣୀ
ପ୍ରୀତି ଶୃଙ୍ଗାରିଣୀ
ଋତୁରାଜ ବସନ୍ତର ଶୁଭ ଆଗମନେ ହସେ ଧରା
ଫୁଲେଇ ଫଗୁଣ ହୁଏ ଚୁଲୁବୁଲି ନାୟିକା
ଚୋରା ଚଇତାଳିରେ ଭରି ମହକର ମାଦକତା
ରୂପ ଲାବଣ୍ୟର ସମ୍ଭାରେ ସାଜେ ଅଭିସାରିକା
ନବ ଯୌବନର ରଙ୍ଗଭରା ପାଖୁଡ଼ା ମେଲି
ପ୍ରିୟ ଲାଗି ପ୍ରିୟା ପ୍ରତୀକ୍ଷାରେ ଥାଏ ଏକା ଏକା
ପ୍ରେମର ମନ୍ଦିରେ ସେ ପ୍ରେମ ପୂଜାରିଣୀ
ଉଜାଗରେ ସପନ ଦେଖେ ପ୍ରୀତି ଶୃଙ୍ଗାରିଣୀ
ଫୁଟା ଫୁଲର ରସେ ଦିଏ ତାର ମହକ ଭରି
ଭାବ ଭାଷାରେ ଖେଳାଏ ଆଶା ଅସୁମାରୀ
ପ୍ରୀତିର ବାରତା ତାର ନେଇ ଯାଏ ମଧୁ ମଳୟ
ପ୍ରାଣର ସ୍ପନ୍ଦନେ ଅଥୟ ହୁଏ ପ୍ରେମୀ ହୃଦୟ
ଶୋଭାର ଭୁବନେ ଚମକେ ଯୁବା ତନୁମନ
ଭାବପ୍ରବଣତାରେ ଆସେ ପ୍ରୀତିର ଶିହରଣ
ରସିକ ନାଗର ମଧୁପ ହୁଏ ଭାବେ ବିହ୍ଵଳ
ପ୍ରିୟତମା ଲାଗି ଗଢ଼େ ଅଭିନବ ରଙ୍ଗ ମହଲ
ମନ ମୁଗ୍ଧେ ହୋଇ ତନ୍ମୟ ପାଏ ପ୍ରାଣଭରି ଭଲ
ବିଭୋର ହୁଏ ଶୁଣି କୋଇଲିର ମଧୁର ରାଗିଣୀ
ଭାବେ ଏକାନ୍ତରେ ଚାହିଁ ବସିଥିବ ପ୍ରୀତି ଶୃଙ୍ଗାରିଣୀ
ପ୍ରକୃତି ପୁରୁଷର ସାନ୍ନିଧ୍ୟ ଲାଗି କରେ ଆମନ୍ତ୍ରଣ
ମନ ମନ ପ୍ରାଣ ପ୍ରାଣ ସଶରୀରର ହୁଏ ମିଳନ
ମଧୁମୟ କରି ଗଢ଼ିବାକୁ ସରସ ସୁନ୍ଦର ଜୀବନ
ଆଦିମତାର ସେ ପ୍ରୀତି ଆବାହନୀ ମହାମନ୍ତ୍ର
ପବିତ୍ରତାର ନିବିଡ଼ ସମ୍ପର୍କକୁ ରଖେ ସ୍ଵତନ୍ତ୍ର
ପ୍ରେମର ସାତରଙ୍ଗୀ ଇନ୍ଦ୍ରଧନୁ ଉଠଇ ଝଲସି
ମନ ଆକାଶରେ ତାର ଜ୍ୟୋତି ପ୍ରକାଶି
ସୃଷ୍ଟିର ରଙ୍ଗମୟ ଦୃଶ୍ୟ ଯେତେ ନିଏ ଆକର୍ଷି
ଜୀବନର ସାଥୀ ସାଥେ ସୁଖେ ବିତେ ସାରା ରାତି
ବସନ୍ତର ଫଗୁଣରେ ହସୁଥାଏ ପ୍ରକୃତିରାଣୀ
ତାରୁଣ୍ୟେ ଶାନ୍ତି ତୃପ୍ତି ଲଭେ ପ୍ରୀତି ଶୃଙ୍ଗାରିଣୀ।

