ଶ୍ରାବଣୀ ଗୋ' ତୁମେ
ଶ୍ରାବଣୀ ଗୋ' ତୁମେ
ଶ୍ରାବଣୀ ଗୋ' ତୁମେ ପ୍ରୀତିର ଆକାଶେ
ସାଜିଛ ମେଘ ମହ୍ଲାର ।
ସ୍ନିଗ୍ଧ ଜଳ ଧାରେ ମନକୁ ଭିଜାଇ
କରି ଅଛ ତ' ବିଭୋର।
ରୂପସୀ, ଅଳସୀ ଏଡ଼େ ଅଭିମାନୀ
ପୀରତି ପଶରା ବନ୍ୟା।
ଝିପି ଝିପି ଝରି ମନ କିଣି ନିଅ
ତୁମେ ଅଟ ତ' ଅନନ୍ୟା।
ଫୁଲର ବାସ୍ନାରେ ତୁମେ ଗୋ' ଶ୍ରାବଣୀ
ମଧୂପ ମଧୁ ଚୁମ୍ବନେ।
ପ୍ରଭାତେ କାକଳୀ ଗୁଞ୍ଜନେ ଶୁଭଇ
ତୁମ କଣ୍ଠ ସ୍ୱର କର୍ଣ୍ଣେ।
ବରଷା ଭିଜାଏ ଦିବସ, ରଜନୀ
ହୋଇ ନବ ବଧୂବେଶ।
ଏତିକି ଚାତୁରୀ କୁହୁକ ମଞ୍ଜରୀ
ଭରୁଛ ପ୍ରାଣେ ପୀୟୂଷ।
କଳା ଓଢଣୀକୁ ଦିବସ ସିନ୍ଦୁର
ମୁକ୍ତ କେଶି ଜଳଧାର।
ଝିପି ଝିପି ଶବ୍ଦ ପଦର ପାଉଁଜି
ତୁମେ ଶୋଭା ଶ୍ରାବଣର।
ନାନା ରଙ୍ଗ ଫୁଲ ପାଖୁଡାକୁ ଛୁଇଁ
ଝରି ପଡେ ମୃଦୁହସ।
ତୁମେ ଗୋ' ଶ୍ରାବଣୀ ଏମିତି ମନୋଇ
ଭିଜାଇ ବି' ମନ ତୋଷ।
ଅତିଷ୍ଠ ଜ୍ୱାଳାକୁ ଶିଥିଳ କରାଇ
ଲାଜେଇ ଆଉଁସି ଦିଅ।
ଭଲପାଇ ଯେବେ ତୁମକୁ ବସନ୍ତି
ତୁମେ ପୁଣି ଫେରିଯାଅ।
ତୁମେ ଗୋ' ଶ୍ରାବଣୀ ଯେତିକି ଫୁଲେଇ
ସେତିକି ପ୍ରୀତିର ଧାରା।
ତୁମ ପରଶରେ ମୋ' ମନ ହରଷ
ଝୁମି ଝୁମି ଯାଏ ପରା।