ଛାଡ଼ଖାଇ
ଛାଡ଼ଖାଇ
ରାହାବାଳି ଆମ ନୀଳା ଭାଉଜ
ପାଟିରେ କମ୍ପାଏ ସାରା ରାଇଜ l
ସବୁରି ଗୃହରେ ପ୍ରବେଶ ତାର
ସବୁ ଘର ତାହା ନିଜ ମନ୍ଦିର l
ଗାଆଁଟା ଯାକର ଭାଉଜ ସେହି
ଦିଅରରେ ଘର ଗେରସ୍ତ ନାହିଁ l
ଆଇଁଷେ ତାହାର ଶରଧା ଭାରି
ଚେଙ୍ଗବେଙ୍ଗ ସବୁ ପକାଏ ଗିଳି l
ଆସିଲା କାର୍ତ୍ତିକ ଧରମ ମାସ
ଭାଉଜ ପାଳିଲା କରି ହବିଷ l
ଘରେ ପକାଇଲା ମୁରୁଜ ଝୋଟି
କଲା ରାଇଦାମୋଦର ବ୍ରତଟି ।
ବଡ଼ ଓଷା ବୈକୁଣ୍ଠ ଚତୁର୍ଦ୍ଧଶୀ
ପଞ୍ଚୁକ ଆଉ ବଡ଼ ଏକାଦଶୀ l
କ୍ରମେ ସରିଗଲା ରାସ ପୂର୍ଣ୍ଣିମା
ସରିଗଲା ନୀଳା ବ୍ରତ ମହିମା l
ସାରା ମାସ ଛାଡ଼ି ଆଇଁଷ ଗ୍ରାସ
ମନେ ହେଉଥିଲା ବଡ଼ ତରାସ l
ପର ଦିନ ଡାକି ବଡ଼ ସରାଗେ
ଦିଅର ଆଗରେ କହିଲା ବାଗେ l
ବାବୁ ହେ ବଜାର କର ଗମନ
ଶୁଖୁଆ,ମାଛ ଓ କୁକୁଡ଼ା ଆଣ l
ଦିଅର ଟି ତାର ବଡ଼ ଗଞ୍ଜୋଡ଼
ବଜାରକୁ ମାରି ଦେଲା ଦଉଡ଼ l
ବାଟରେ ଦେଖିଲା ଗଞ୍ଜେଇ ଖଟି
ତିନି ଘଣ୍ଟା ବସି ଦେଲାଟି କାଟି l
ଭାଉଜର କଥା ସ୍ମରଣ ହେଲା
ବଜାର ତୁରନ୍ତ ଦୋଉଡ଼ି ଗଲା l
ପହୁଁଚି ବଜାରେ ଦେଖିଲା ଯାଇ
କଙ୍କଡା ଛାଡ଼ିକି କିଛି ହିଁ ନାହିଁ l
ଦୋଦୋ ପାଞ୍ଚ ହୋଇ କଙ୍କଡ଼ା କିଣି
ଭାଉଜ ପାଖରେ ଥୋଇଲା ଆଣି l
ଦିଅରର ଦେଖି କଙ୍କଡ଼ା ଭେଟି
ରାଗ ତାର ଗଲା ପଞ୍ଚମେ ଉଠି l
ଝିଙ୍ଗାସ କରିଲା ଦିଅରେ ଚାହିଁ
ବାଡ଼ିପଡ଼ା ତତେ ମରଣ ନାହିଁ l
ଛାଡ଼ଖାଇ ହେବ ଖାଇ କଙ୍କଡ଼ା
ଗାଲେ ଚଢ଼ାଇବି ଶକ୍ତ ଚାପୁଡ଼ା l
ଗଞ୍ଜେଇ ନିଶାରୁ ଏ କର୍ମ ମୋର
ଭାଉଜରେ ମାନି ଗଲା ଦିଅର l
ଆଜିଠୁ ଛାଡ଼ିଲି ଗଞ୍ଜେଇ ମୁହିଁ
ଧନ୍ୟଲୋ ଭାଉଜ ତୋ ଛାଡ଼ଖାଇ l
ଭୁଲ ହେବନାହିଁ ଏଣିକି ଆଉ
ଦିଅର ଭାଉଜ ଭାବଟି ଥାଉ l