STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ବସନ୍ତ ବିଳାସ (ଖ)

ବସନ୍ତ ବିଳାସ (ଖ)

1 min
169


ଏକେତ ସୁରମ୍ୟ       ରମ୍ୟ କାନନ

ଅଳକା ଭୁବନ            ନନ୍ଦନ ବନ

ସମ ଗୋପ ଶୋଭା    କୁଞ୍ଜ କାନନ

ଗୋପୀ, ରାଧାରାଣୀ   ନନ୍ଦ ନନ୍ଦନ

ବସନ୍ତ ଦୂତର ଗୀତେ, ଯେ

ମୋହନ ବାଂଶୁରୀ  ମଧୁରେ ବଜାଇ

ବସନ୍ତ ବିଳାସ ରଚେ, ଯେ ।

 

ଏଇ ଗୋପପୁର   ଗୋପ ତରୁଣୀ

ସରୋବରେ ଯେହ୍ନେ    କି କୁମୁଦିନୀ

ତାରା ମେଳେ ଯେହ୍ନେ   ଜହ୍ନ ସୁନ୍ଦର

ଗୋପୀ ମେଳେ ରାଧା  ତହୁଁ ରୁଚିର

ବୃଷଭାନୁ ରାଜଜେମା, ଯେ

ଲବଣୀ ପିତୁଳା  ଚାରୁଚନ୍ଦ୍ରା ବାଳା

ଅନିନ୍ଦ୍ୟ ସୁନ୍ଦରୀ ବାମା, ଯେ ।

 

ଏଇ ଗୋପପୁର  ଗୋପାଳ ପୁଅ

ବଇଁଶୀ ବଜାଇ   କରେ ଅଥୟ

ଗୋପ ଆକାଶର  ଶରଦ ଶଶି

ମଥାରେ ଚନ୍ଦ୍ରିକା  ହାତରେ ବଂଶୀ

ଯଶୋମତୀ ଗଳାହାର, ଯେ

ଶ୍ୟାମ ଘନ କାନ୍ତି  ଚାରୁ ପୀତାମ୍ବର

ମେଘେ ବିଜୁଳି ପ୍ରକାର, ଯେ ।

 

ଏଇ ଗୋପପୁର   କୁଞ୍ଜ କାନନେ

ଧେନୁ-ବତ୍ସା-କୃଷ୍ଣ    ଗୋପାଳ ଗଣେ

ରଚନା କରିଲେ   ବନ ବିହାର

କିଏଯାଣେ ଅବା  ମାୟା ତାହାର

ଟେକେ ଗିରି ଗୋବର୍ଦ୍ଧନ, ଯେ

ଜଳ କେଳି କରି  ନିଏ ଚୋରୀକରି

ଗୋପୀ ପାଲଟା ବସନ, ଯେ ।

 

ଏଇ ଗୋପପୁର  କୁଞ୍ଜ କାନନ

ବସନ୍ତ ରାସ ର  ମଧୁ ମିଳନ

ରାଧା-କୃଷ୍ଣ-ଗୋପ ତରୁଣୀ ମେଳେ

ବସନ୍ତ ରାସରେ  କୁଞ୍ଜ କୁଟୀରେ

ପ୍ରେମେ ଉଛୁଳେ ଯମୁନା, ଯେ

ପାଦପ-ବଲ୍ଲରୀ-   କୁସୁମ,ଉଲ୍ଲାସେ

ହର୍ଷ ରୋଳେ ଆନମନା, ଯେ ।

 

ସହସ୍ର ଗୋପୀକା    ସହସ୍ର କୃଷ୍ଣ

ରମଣୀୟ ଚିତ୍ର   ଅଟେ ଅନନ୍ୟ

ନୈସର୍ଗିକ ପ୍ରେମ  ମୁଗ୍ଧେ ବିହ୍ବଳ

ଭାବେ ଗୋପାଙ୍ଗନା କରନ୍ତି କୋଳ

ଅଚିନ୍ତନୀୟ ଅପୂର୍ବ, ଯେ

ରାସ ରସରାଜ  ରସିଆ ରସିକ

ପ୍ରଫୁଲ୍ଲ ପରାଣ ଧବ, ଯେ ।

 

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller