କବିତା
କବିତା
କି ! କବିତା ଅବା ଲେଖିବି ଆଜି ମୁଁ
ଭାବି ନ ପାରଇ ମନେ
ସାମ୍ପ୍ରତିକ ଏହି ସମସ୍ୟା ବହୁଳ
ପ୍ରଭାବ ଭରା ଜୀବନେ ।
କ୍ଷୁର୍ଣ୍ଣ କରି ଅଛି ପବିତ୍ର ଉତ୍ସାହ
ଚିନ୍ତନ ଭାବନା ନାହିଁ
ଉତ୍ତମ ବିଚାର ଚିନ୍ତା ଓ ବ୍ୟବସ୍ଥା
ଅନୁଧ୍ୟାନ ହୁଏ ନାହିଁ ।
ବ୍ୟବହାର କାହିଁ , ସତ୍ୟ ସଦାଚାର
ଦିବ୍ୟ ଚେତନା ମୂଳକ
ମନ ପ୍ରାଣ ରେ ସେ ତୃପ୍ତି ଅବା କାହିଁ
କାହିଁ ସୁଦିବ୍ୟ ପୁଲକ ।
ଅଭିସନ୍ଧି ଭରା ଆଖିରେ ସଭିଏଁ
ଉନ୍ମତ୍ତ ବୃଷଭ ପ୍ରାୟ
ସପନ ସାଉଁଟି କଳ୍ପନା ଚିତ୍ରିତ
କବିତା ଯେ ରସ ମୟ ।
ଶୋଭା ପରିପୂର୍ଣ୍ଣ ବିଭା ଭାର ଭରା
କରିବି କେସନ ଗଢି
ଅବିରତ ସହେ ଯନ୍ତ୍ରଣା ର ଜାଳ
ପରିବେଶ ଶୋଭା କ୍ଷରି ।
ହୋଇ ଉଠେ ଲୁପ୍ତ ଚିତ୍ତ ପ୍ରକମ୍ପିତ
ଆଶା ଓ ଭରସା ମରି
ସପନ ହଜଇ ପ୍ରାଣ ଶିହରାଇ
ବ୍ୟାକୁଳତା ଯାଏ ଭରି ।
ସମାଜ, ସଂସ୍କୃତି ବ୍ୟକ୍ତିଗତ ସ୍ଥିତି
ପରଖିବା ଲାଗି ଚେଷ୍ଟା
ଜାରି ରଖି ସିନା ଲେଖନ୍ତି କବିଏ
ସୁନ୍ଦର ଚାରୁ କବିତା ।