ବର୍ଷା!ତୁମେ ଠକିଦେଲ
ବର୍ଷା!ତୁମେ ଠକିଦେଲ
ବର୍ଷା ଗୋ! ତୁମେ ଆସିଥିଲ..
କଳାହାଣ୍ଡିଆ ମେଘ ସାଥିରେ..
ବିଜୁଳି ଆଲୋକରେ..
ଘଡଘଡି ବାଣ ରୋଷଣିରେ…
ଇନ୍ଦ୍ରଧନୁର ତୋରଣ ଦେଇ..
ପବନରେ ସୌରଭ ବିଇଞ୍ଚି.. .
ଛୁଇଁ ଦେଇଥିଲ ପ୍ରତି ହୃଦୟକୁ…
ତୁମର କୋମଳ ସ୍ପର୍ଶରେ ।
ଢାଳି ଦେଇଥିଲ ପ୍ରେମର ବାରି..
ତିନ୍ତି ଯାଇଥିଲା ମାଟି,ପଥର,ବୃକ୍ଷରାଜି
ମାଟି ବି ସେଦିନ ଆତ୍ମବିଭୋରା ହୋଇ ..
ନାଚି ଉଠିଥିଲା ସଂଗୀତର ସାତ ସୁରେ…
ପ୍ରେମର ରଂଗୀନ୍ ଅବିର ବୋଳି ।
ଗୁଣୁଗୁଣୁ ସଂଗୀତର ସୁରେ…
ଆକାଶର ଟିକିଏ ପ୍ରେମ ପାଇଁ..
ସ୍ବପ୍ନ ବିଭୋରା ହୋଇ ସମର୍ପିତା ଥିଲା ସେ ..
ନବ ପଲ୍ଲବିତ ବୃକ୍ଷରାଜି,ଗଜୁୁରିତ ଚାରାରେ..
ଦେଇଥିଲା ପ୍ରେମର ସନ୍ତକ…
ମେଣ୍ଟିଥିଲା ଚାତକର ତୃଷ୍ଣା…
କୃଷକ ବାପୁଡା ବି ଗାଉଥିଲା କୃଷି ସଂଗୀତ ।
ଯତନେ ବୁଣିଥିଲା ବିହନ…
ଖତ,ସାର,କୀଟନାଶକ ଔଷଧ..
ବନ୍ଧାପଡି ମହାଜନ ପାଖରେ…
କିଆରି ହିଡରେ ବସି …
କୁଣ୍ଢେମୋଟ ହୋଇ ଯାଉଥିଲା ମନ..
ଦେଖି ସବୁଜ ଶସ୍ଯରାଜି..
ଖୁସିରେ ଗଦ୍ ଗଦ୍ ହୋଇ..
ହିସାବ କରୁଥିଲା ଲାଭକ୍ଷତି।
ଆଲୋକ,ଉତ୍ତାପ ଓ ତୁମରି ସ୍ପର୍ଶରେ..
ଅର୍ଦ୍ଧଗର୍ଭ ବହିର୍ଗତ ଶସ୍ଯ କ୍ଷୀର ଖାଇ..
ଦେଖୁଥିଲା ରଂଗୀନ ଦୁନିଆକୁ…
ସ୍ବପ୍ନ ଥିଲା ହେବ ସେ ପୂର୍ଣ୍ଣ ଶସ୍ଯଟେ…
କୃଷକର ହିସାବ ନିକାସ କରିବ..
ଦେବ ତା ଶ୍ରମ,ଅର୍ଥର ପାଉଣା…
ରୁଗ୍ଣା ମା'ର ମୁଖେ ଚେନାଏ ହସ..
ସନ୍ତାନର ଶିକ୍ଷା,ସ୍ବାସ୍ଥ୍ୟ ସାଥେ..
କରିବ ତା' ସ୍ତ୍ରୀର ଲଜ୍ଜା ନିବାରଣ।
କିନ୍ତୁ…
ବର୍ଷା ଗୋ! ତୁମେ ଠକିଦେଲ..
କା ସାଥିରେ ଚାଲିଗଲ ତୁମେ …
କେଉଁ ଅଜଣା ରାଇଜକୁ..
ଏଡେ ତୁମ ନିଷ୍ଠୁର ହୃଦୟ….
ଫେରିବାର ଆଭାସ ବି ଦେଲନି ଟିକିଏ ।
ପାଖେ ଥିଲେ ଦେଖନ୍ତ ଥରେ …
ଦେଖନ୍ତ ଏ କରୁଣ ଦୃଶ୍ୟକୁ..
ପୋଡି, ଝାଉଁଳି ଯାଉଥିବା ଚାରା…
ଶୁଖି ଯାଉଥିବା ଫୁଲକଢି..
କ୍ଷୀର ଖାଉଥିବା ଶସ୍ଯରାଶି..
ତୃଷାର୍ତ୍ତ ଜୀବକୁଳକୁ।
ଦେଖନ୍ତ ଥରେ..
ଶଯ୍ୟାଶାୟିନୀ ମା' ଆଖିର ଲୁହ….
ବନ୍ଧା ପଡିଥିବା ସନ୍ତାନର ଶିକ୍ଷା,ସ୍ବାସ୍ଥ୍ୟ..
ଅର୍ଦ୍ଧନଗ୍ନା ସ୍ତ୍ରୀର ଲଜ୍ଜା…
ଓଳିଏ ଜଳୁଥିବା ଚୁଲି…
ଦଦରା ଚାଳଘର…
ଆଉ କୃଷକର ଅନ୍ତରାତ୍ମାକୁ
କୃଷକର ଅନ୍ତରାତ୍ମାକୁ…

