ଅବଶୋଷ
ଅବଶୋଷ
ଜପ କରୁଥିଲି ତପ କରୁଥିଲି
କରୁଥିଲି ଉପାସନା,
ଏ ପୂଣ୍ୟ କାର୍ତ୍ତିକେ ନୀତି ନିଷ୍ଠା ପାଳି
ଜାଗିଲା ଦିବ୍ୟ ଭାବନା ।
ଆଧ୍ୟାତ୍ମିକ ମାର୍ଗେ ଡୁବିଯାଇ ସଦା
କରୁଥିଲି ପ୍ରେମ ଭକ୍ତି,
ଦାନ ପୂଣ୍ୟେ ମନ ଲାଖିଯାଇଥିଲା
ସକରାତ୍ମକେ ଥିଲା ମତି।
ମନ-ଘୋଡା ବି ମୋ ବାନ୍ଧି ହୋଇଥିଲା
ବିବେକର ଇସାରାରେ,
କ୍ଷଣିକ ସୁଖକୁ ତୁଚ୍ଛ ମଣି ସଦା
ବ୍ରତୀ ସେ ପରମାର୍ଥରେ।
ବେଦ ପାରାୟଣେ ନାମ ସଂକୀର୍ତ୍ତନେ
ମଜ୍ଜିଥିଲା ଆତ୍ମାରାମ,
ସତ୍ ଚିନ୍ତା ସତ୍ କର୍ମେ ନିତ୍ୟାନନ୍ଦ ଲଭି
ପାଳିଲା ମାନବ ଧର୍ମ ।
ଇନ୍ଦ୍ରିୟ ଲାଳସା ଉର୍ଦ୍ଧ୍ଵେ କରି ବାସ
ଜୀବେ ଦୟା ଥିଲା ବ୍ରତ,
ନ ଭକ୍ଷି ଆଇଁଷ ପିଇ ଭକ୍ତି ରସ
ଗଜୁରିଥିଲା ମମତ୍ବ।
ବଗ ପାଳୁଥିଲା ଚାନ୍ଦ୍ରାୟଣ ବ୍ରତ
ତୁଳା ଦେଇ ଜଳ ପୃଷ୍ଠେ,
ଜୀବହତ୍ଯା ଦୋଷେ ଛନ୍ଦି ନ ହେବାକୁ
ବିବେକ ତା' ଜାଗି ଉଠେ।
ପଶୁପକ୍ଷୀ ନିତ୍ଯ ହରି କଥା ଶୁଣି
ଭ୍ରମୁଥିଲେ ସ୍ବାଛନ୍ଦ୍ୟରେ,
' ଏପରି ସୌଭାଗ୍ୟ ମିଳନ୍ତା କି ସଦା'
ଭାବୁଥିଲେ ମାନସରେ।
ବୃକ୍ଷଲତା ମନ ଉଲ୍ଲସିତ ଥିଲା
ହୋଇଥିଲା ଉର୍ଦ୍ଧ୍ଵମୁଖୀ,
ସୁରକ୍ଷିତ ଥିଲା ଶାଖା ପ୍ରଶାଖା ଯେ
ସର୍ବେ ହେଉଥିଲେ ଖୁସି।
ସତେ ଅବା କଳି- ଯୁଗ ଶେଷ ହୋଇ
ସତ୍ୟଯୁଗ ଲେଉଟିଲା,
ସଭିଙ୍କ ମାନସେ ଏ ସୁନ୍ଦର ବାର୍ତ୍ତା
ପ୍ରତିଧ୍ବନିତ ଯେ ହେଲା।
ହାୟ! ଏ ବିଧାତା କି ମନ୍ଦ ପାଞ୍ଚିଲା
ମାସାନ୍ତେ କରିଲା ମାୟା,
'ଛାଡଖାଇ' ଶବ୍ଦ ଗୋଟି ଥୋଇଦେଲା
ସଭିଏଁ ହୋଇଲେ ବାୟା।
ଇନ୍ଦ୍ରିୟ ଲାଳସେ, ମନ ବାଇ ହେଲା
ମାଛ,ମାଂସ ମଦ୍ଯପାନେ,
'ଯେସନ ଖାଦ୍ୟକୁ ତେସନ ସ୍ବଭାବ'
ଏକ ଆରେକକୁ ଜିଣେ।
ଅନ୍ୟାୟ ଅରୀତି- ମେଘ ଘୋଟିଦେଲା
କଳି କଲା ଅଟ୍ଟହାସ୍ୟ,
ସତ୍ୟଯୁଗ ଆଶା ସ୍ବପ୍ନ ହୋଇଗଲା
ରହିଗଲା ଅବଶୋଷ।