STORYMIRROR

BHAGABANA NAIK

Tragedy

3  

BHAGABANA NAIK

Tragedy

ସ୍ବାଧୀନରେ ପରାଧୀନ

ସ୍ବାଧୀନରେ ପରାଧୀନ

1 min
158


ମଣିଷ ଜନମ ପାଇକି କି ଲାଭ! 

 ନାହିଁ ମଣିଷପଣିଆ, 

ଏତେ କଥା ଏହା ପୂର୍ବୁ ଜାଣିଥିଲେ 

ଆସି ନଥାନ୍ତି ଏ ଦୁନିଆ। 


ଧୃତରାଷ୍ଟ୍ର ଯେହ୍ନେ ଜୀଉଁଛି ଜୀବନ

ପୁତ୍ରାନ୍ଧେ ହୋଇଛି ବନ୍ଧା, 

ସଞ୍ଜୟର ଦିବ୍ୟଦୃଷ୍ଟିରେ ଦେଖୁଛି 

କିଏ ସେହି ଶ୍ରେଷ୍ଠ ଯୋଦ୍ଧା। 


ମୁଖରେ ଅମୃତ ଅନ୍ତରେ ଗରଳ

ବିଲୁଆ ଯେସନେ ମିତ, 

ନିରୀହ ହରିଣ ମାଂସେ ମୋର ଦୃଷ୍ଟି 

ପାଳୁଛି ଛଳନା ବ୍ରତ। 


ବଗ ପରି ଚାନ୍ଦ୍ରାୟଣ ବ୍ରତ କରେ 

ମୀନ ଧରିବାର ଆଶେ, 

ଜଳେ ତୂଳା ଦେଇ ମିଠା କଥା କହି 

ମୀନ ଗୋଟି ଗୋଟି ଗ୍ରାସେl


ବଂଶ ଆଭିଜାତ୍ୟ ଶୃଙ୍ଖଳରେ ବନ୍ଧା

ଉଚ୍ଚ ମୋର ଶିକ୍ଷା ଦୀକ୍ଷା, 

ଭୋକିଲା ନୁଖୁରା ମୋ ପାଇଁ ଅଲୋଡ଼ା 

ଅସଭ୍ୟରେ ସେହୁ ଲେଖା। 


ଦିଗନ୍ତ ବିସ୍ତାରେ ସ୍ୱାର୍ଥନ୍ୱେଷୀ ବହ୍ନି 

ଜାଳିଦିଏ ଆତ୍ମୀୟତା, 

ପୃଷ୍ଠ ଦେଶେ ଛୁରୀ ମାରିବା ପାଇଁ ତ 

କହେ ସୁମଧୁର କଥା। 


ଜ୍ଞାନ ବୁଦ୍ଧି ବଳେ ମୋଠୁ ଆଗେଇଲେ 

ଈର୍ଷା-ଅସ୍ତ୍ରେ ଛେଦେ ଡେଣା, 

ଏଭରେଷ୍ଟ ଶୃଙ୍ଗରୁ ଠେଲିଦେଇ ତାକୁ 

କାନ୍ଦେ କୁମ୍ଭୀର କାନ୍ଦଣା। 


ମଣିଷ ଜନମ ପାଇକି କି ଲାଭ 

ନାହିଁ ତାର ଚିହ୍ନବର୍ଣ୍ଣ, 

ଇତରଠୁ ଅତି ହୀନକାର୍ଯ୍ୟ କରେ 

ଅମଣିଷେ ହୁଏ ଗଣ୍ୟ।


ସ୍ୱାର୍ଥାନ୍ଧ ସାରଥି ସ୍ୱାର୍ଥରଥେ ମୋର 

ରାଜା ଚୁପ୍ ସଇତାନ, 

ସ୍ୱାଧୀନତା ଶବ୍ଦେ ସ୍ୱାର୍ଥାପ୍ଲୁତ ଦେଶ-

ସ୍ୱାଧୀନରେ ପରାଧୀନ। 






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy