ବର୍ଷା ଗୋ ତୁମେ
ବର୍ଷା ଗୋ ତୁମେ
ଶ୍ରାବଣୀ ଗୋ ଦିନେ
ମହୁଆ ସନ୍ଧ୍ୟାରେ
ଭିଜିଥିଲି ତୁମ ସାଥେ
ଇନ୍ଦ୍ରଧନୁ ସାଜି
ଆଙ୍କି ଦେଇଥିଲ
ସୁନେଲି ସପନ କେତେ ।
ରିମଝିମ ତୁମ
ମେଘର ମହ୍ଲାରେ
ନାଚିଥିଲି ମନ ଖୋଲି
ପ୍ରୀତିର ପରାଗ
ସ୍ନିଗ୍ଧ ଅନୁରାଗ
ହସୁଥିଲା ଖିଲିଖିଲି ।
ହୃଦୟ ମହଲେ
ଜଳୁଥିଲା ଦୀପ
ତୁମ ପ୍ରୀତିଘୃତ ପାଇ
ସ୍ପନ୍ଦନେ ସ୍ପନ୍ଦନେ
ରଚିଯାଉଥିଲା
ନବ ଉନ୍ମାଦନା ନେଇ ।
ମନ ଉପବନେ
ଫୁଟିଥିଲ ତୁମେ
କବିତା କୁସୁମ ହୋଇ
ଛନ୍ଦିଥିଲି କେତେ
ଶବ୍ଦର ପାଖୁଡା
ପ୍ରୀତିର ମହକ ଦେଇ ।
ନିରୁଦ୍ଧିଷ୍ଟ ଆଜି
ତୁମ ପରିଚୟ
ପରଦେଶୀ ଯାଯାବର
ଶୂନ୍ୟ ହୃଦୟକୁ
ପଚାରି ବସେ ମୁଁ
ପାଇ ନିରୋଳା ସମୟ ।
ଶ୍ରାବଣୀ ଗୋ ତୁମେ
ଭିଜିଯାଅ ଆଜି
ଶ୍ରାବଣର ଜଳ ଧାରେ
ମୁଁ ଭିଜୁଛି ଏଠି
ଉଷୁମ ଲୁହରେ
ତୁମ ସ୍ମୃତି ଅଭିସାରେ ।
ତୁମ ଘୁଙ୍ଗୁରର
ମତୁଆଲା ଶବ୍ଦ
ହୃଦୟେ ଜଗାଏ ମୋହ
ଅମାନିଆ ଆଖି
ଅବୁଝା ଏ ମନ
ନୀରବେ ଝରାଏ ଲୁହ.
