ବନ୍ଧୁତାର ଡ଼ୋରି
ବନ୍ଧୁତାର ଡ଼ୋରି
ସର୍ବ ପ୍ରାଚୀନ ସମ୍ପର୍କେ ଶୁଦ୍ଧ ବନ୍ଧୁତା,
ବାକି ସଂସାରେ ଯାହା ମାୟାବୋଧତା।
ସମାଜ ନୀତିଗତିରେ ବନ୍ଧା ମନୁଷ୍ୟ ଜୀବନ ,
ରକତଠୁ ବଳି ସୁଦୃଢ ଏ ରଜ୍ଜୁ ଅନନ୍ୟ ।
ଏପରି ବନ୍ଧୁତା ସଦା ଲୋଡୁଥାଏ ଏଇ ମନ ,
ଯେ ମୋହିପାରେ ହୋଇ ଅର୍ନ୍ତଆତ୍ମାର ସୁମନ।
ଲୁଚାଲୁଚି ଖେଳ ପାଇଁ ହୁଏ ଶୈଶବେ ଖୋଜା ,
ସାଙ୍ଗ ନ ଥିଲେ ବିଦ୍ୟାଳୟେ ପାଠ ଅବୁଝା।
ପାଠ ସହିତ ଯେତେକ ଗୋଳରେ ମେଳ,
ଭୁଲି ଦୁନିଆଁ ସାଙ୍ଗ ହେଲେ ସବୁର ମୂଳ।
ସେ ନିଆରା ଆନନ୍ଦ ଉର୍ମି ପାରିବା କି କଳି,
ଲୁଚି ଖାଇବା , ତୋଳି ଆମ୍ବ,ପିଜୁଳି ,କୋଳି ।
ପାଠ୍ୟସାଥୀ କ୍ରିଡାସାଥୀ ଲୋଡା ବାଳକାଳେ,
ଚାହେଁ ସହଯୋଗୀ ଉତ୍ତମ, ଗୁରୁକାର୍ଯ୍ୟ ବେଳେ।
ନଥିଲେ ପୁଣି ବନ୍ଧୁଟିଏ ତ ସଂସାର ଅଚଳ ,
ଡାକିବା କାରେ ତେବେ ଭଲମନ୍ଦର ବେଳ ।
ସାଥି ସହ ଆଗେଇ ପଥିକ ଭୁଲାଏ ପଥଶ୍ରମ,
ଭ୍ରମିପାରେ ଦେଶ ଦେଶ ପ୍ରାନ୍ତର ଅନୁପମ।
ବୟସର ସୀମା କେବେ ଖୋଜେନା ବନ୍ଧୁତା ,
ପ୍ରତି ପାହାଚେ ଜୀବନର ଦିଏ ନିବିଡ଼ତା ।
ସହଜେ ପାରେ ସଚ୍ଚା ବନ୍ଧୁ ମନକୁ ବୁଝି,
ଯେବେ ଲହୁ ଆକର୍ଷଣ ଯାଏ ତ ହଜି।
ନ ଥାଏ ବାଧକ ଶିକୁଳି, ଖୋଲିବାକୁ ମନ ,
ସେ ହିଁ କରିପାରେ ସର୍ବ ବିଶାଦ ମୋଚନ।
ବାଣ୍ଟିବାରେ ସୁପ୍ତ ଭାବନା, କରେନା ଊଣା ,
ମନର ସ୍ୟାହିଲେଖା ପଢିବା ତାକୁ ହିଁ ଜଣା।
ସଂସାରେ ନୀୟମ ପ୍ରଣେତା ଏକା ସାଇଁ,
ସାଥିଟିଏ ବି ଲୋଡା ଗୃହସ୍ଥାଶ୍ରମ ପାଇଁ ।
ପାରିଲେ ରହି ପାଶେ ନିବିଡ଼ତମ ବନ୍ଧୁ ସାଜି,
ପୂର୍ଣ୍ଣ ହୁଏ ସଂସାର କୁଟୀରେ ଅଦେଖା ସ୍ୱପ୍ନରାଜି।
ଅଛନ୍ତି ସେଇ ଦୀନବନ୍ଧୁ ଦଇତାରି ସବୁ ଠେଇଁ,
ତା ପରି ବନ୍ଧୁ ଜଗତେ ଆଉ ତ କେହି ନାହିଁ ।
କୃଷ୍ଣ ସୁଦାମା ବାତ୍ସଲ୍ୟ ପ୍ରେମ ସଂସାରେ ଦେଖିଛ କାହିଁ,
ରଚିଥିଲେ ଏ ଲୀଳା କେଶବ କଳିର ଦୁନିଆଁ ପାଇଁ।
