ବନ୍ଧନ ଭାବନାର
ବନ୍ଧନ ଭାବନାର
ଯେଦିନୁ ତା ସାଥେ
ଯୋଡ଼ିଛି ସମ୍ପର୍କ
ଈଶ୍ୱର ଗଲେଣି ରୁଷି
ଦିନ ରାତି ଖାଲି
ଭାବେ ତା କଥା ମୁଁ
ଆନ ସବୁ ପରଦେଶୀ.
କଳ୍ପନାର ପୋତେ
କରେ ସେ ବିହାର
ଖୁସିର ତରଙ୍ଗ ସାଥେ
ହୃଦୟ ମହଲେ
ଫୁଟେ ପାରିଜାତ
ଶିହରଣ ଭରେ କେତେ.
କେଜାଣି କେତେଯେ
ଶବ୍ଦ ବୁଣିଦିଏ
ମୋ ମନର ଇଲାକାରେ
ସର୍ଜନା କରେ ସେ
କାବ୍ୟ କଲ୍ଲୋଳକୁ
ମୋ ହୃଦୟ ପାରାବାରେ.
ତା ଲାଗି ଚେଇଁଛି
ରାତି ଉଜାଗରେ
ଆଙ୍କିଛି ତା ଚିତ୍ରପଟ୍ଟ
ଭୁଲିଛି ଦୁନିଆ
ସମ୍ପର୍କ ସବୁକୁ
ଯେବେଠୁଁ ହୋଇଛି ଭେଟ.
ହୋଇଛି ମୁଁ କବି
ତା ପ୍ରେମାନୁରାଗେ
ଧରିଛି କଲମ ହାତେ
ସେଇ ମୋ କବିତା
ପ୍ରାଣ ପ୍ରିୟତମା
ଅଛି ସଦା ମୋର ସାଥେ.
ତା ପ୍ରୀତି ପରାଗ
ସ୍ନେହ ଅନୁରାଗ
ମମତାର ମଧୁମତୀ
ତା ପ୍ରୀତି ଝରଣା
ଭିଜେ ମନ ବୀଣା
ଭାବର ଅଖଣ୍ଡ ଜ୍ୟୋତି.
