ବିଷାକ୍ତ ସହର
ବିଷାକ୍ତ ସହର
ବିବିଧ ବର୍ଣ୍ଣ ଉଜ୍ଜ୍ୱଳ ସଜ୍ଜିତ ସହର
କାହିଁ ଦୃଶ୍ୟ ନିରାଶ୍ରୟ କାହିଁ ମଧୁ ଭାର ।
ତୃଷାର ଧବଳ କାନ୍ତି ଯହିଁ ହୁଏ ଦୃଶ୍ୟ
ମାୟା ମରୀଚିକା ପରି ନୃତ୍ୟ ଅହର୍ନିଶ ।
ହୀନଚେତାଙ୍କର ସ୍ଥାନ ବହୁତ ଉଚ୍ଚରେ
ହୀନମତି ଲୁଟି ଖାଏ ଆପଣା ସ୍ଵାର୍ଥରେ ।
ଶସ୍ୟଶ୍ୟାମଳାପୂର୍ଣ୍ଣ ଗ୍ରାମ ତ୍ୟାଗି ଜନେ
ସହରେ ଚଳନ୍ତି ଅତି ଆନନ୍ଦିତ ମନେ ।
ସ୍ଵର୍ଣ୍ଣପ୍ରସୂ ଭୂମି ପଡେ ଟାଙ୍ଗରା ପରାୟେ
ତୃଣ ଭରା କର୍ଦ୍ଦମାକ୍ତ ଲୋତକ ଝରାଏ ।
ସହରକୁ ଆସି ଯିଏ ଚିନ୍ତେ ମହାସୁଖ
କିଛି ଦିନ ପରେ ସୁଖ ପାଲଟେ ଯେ ଦୁଃଖ ।
ନିରନ୍ତର ରାଜପଥେ ଚଳାଚଳ ଯାନ
ବିଷାକ୍ତ ଧୂର୍ମ କୁଣ୍ଡଳ ନୟନେ ଅଞ୍ଜନ ।
ଶ୍ଵାସେ ପ୍ରବେଶି ଧମନୀ କରେ ସେ ବିଷାକ୍ତ
ଅକସ୍ମାତ ହୃଦଘାତେ ଟାଣି ନିଏ ମୃତ ।
ଅହମିକା କୂପେ ଯାନ୍ତି ଯେତେ ମୁଢ ଜନ
ବୁଝି ନପାରନ୍ତି ବୋଲି କୁହୁକ ବନ୍ଧନ ।
ସହରରେ ନିରାପଦ ନୁହେଁ ଆତଯାତ
ନାହିଁ ମାତା ନାହିଁ ଭଗ୍ନୀ ଭାବିବେ ଇଜ୍ଜତ ।
ଟୋପାଏ ଜଳ ପାଇଁକି ହୁଏ ରଣ ସ୍ଥଳୀ
କି ଦେଇ ବଞ୍ଚିବ ପ୍ରାଣ କବି ହୁଏ ଭାଳି ।
ଅମ୍ଳଜାନ ଦିନୁ ଦିନ ହୁଅଇ ଅଭାବ
ବିଶ୍ଵାସରେ ଶ୍ଵାସ ଏହିଁ ଯୋଡିବ କି ଭାବ ।
ନିର୍ମୂଳ ପରାୟେ ଦିଶେ ସ୍ନେହ ପ୍ରେମ ଫୁଲ
ବିଷ ମାଟିରେ କି ହେବ ଡଉଲ ଡାଉଲ ।
ପ୍ରଦୁଷଣ ପ୍ରତି ସଦା ଦେବା ଆମ୍ଭେ ଧ୍ୟାନ
ସହରର ଉଦ୍ଦୀପନ ରହିବ ଅମ୍ଳାନ ।